ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଧାମନଗର ଉପନିର୍ବାଚନ ପାଇଁ ଚାଲିଥିବା ପ୍ରଚାରରେ ବିଜେପିର ଅନୈତିକ କାର୍ଯ୍ୟକୁ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ବିଜେପି ଏସଏଚଜି ମହିଳାଙ୍କୁ ଅପମାନିତ କରୁଛି । ଅର୍ଥବଳରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ଏପରିକି ସ୍ଥାନୀୟ ପ୍ରଶାସନ ଉପରେ ମଧ୍ୟ ଚାପ ସୃଷ୍ଟି କରୁଛନ୍ତି ରାଜ୍ୟ ବିଜେପି ନେତା ଓ କର୍ମୀ । ଏପରି ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ଏସଏଚଜି ମହିଳାଙ୍କ ମିଛ ଭିଡିଓ ଭାଇରାଲ କରି ୭୦ ଲକ୍ଷରୁ ଅଧିକ ସ୍ବୟଂ ସହାୟିକା ମହିଳାଙ୍କୁ ଅପମାନିତ କରାଯାଉଛି । ହାରିଯିବା ଭୟରେ ବ୍ୟାପକ ଭାବେ କଳା ଟଙ୍କାର ବ୍ୟବହାର କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପ୍ରଶାସନ ବିରୋଧରେ ମିଛ ଅଭିଯୋଗ ଆଣି ସ୍ଥାନୀୟ ଅଧିକାରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ରାଜ୍ୟ ବିଜେପି ନେତାଙ୍କୁ ଏହି ସବୁ ଅନୈତିକ କାମରୁ ନିବୃତ କରିବାକୁ ଦାବି କରିଛି ବିଜେଡି । ଏଥିସହ ନିର୍ବାଚନ ମଣ୍ଡଳୀରେ ଅର୍ଥବଳ, ବାହୁବଳ ଓ ମିଛ ଅପପ୍ରଚାରକୁ ରୋକିବାକୁ ମନଟରିଂ ବ୍ୟବସ୍ଥାକୁ କଡ଼ା କଡି କରିବାକୁ ଦାବି କରିଛି ବିଜେଡି ।