ସଂସଦରେ ବାରମ୍ବାର ଦାବି କରୁଛନ୍ତି ବିଜେଡି ସାଂସଦ
ଆଦିବାସୀ ଭାଷା ପ୍ରତି ବିଜେପିର ଆନ୍ତରିକତା ନାହିଁ
ବିଜେପି ମନ୍ତ୍ରୀ ଓ ସାଂସଦ ଏ ନେଇ ମୁହଁ ଖୋଲୁ ନାହାନ୍ତି
ଭୁବନେଶ୍ୱର, ୧୯/୦୬/୨୦୨୩: ଆମ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ଦ୍ୱାରା କଥିତ ଭାଷା ଭାରତ ପାଇଁ ମୂଲ୍ୟବାନ । ଆଦିବାସୀମାନଙ୍କ ପରିଚୟ ପାଇଁ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଭଳି ସ୍ଥିତିରେ ରାଜ୍ୟର ତିନୋଟି ପ୍ରମୁଖ ଆଦିବାସୀ ଭାଷା ହୋ, ମୁଣ୍ଡାରି ଏବଂ ଭୁମିଜକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ କେବେ ସ୍ଥାନ ପାଇବ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ।
ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ କହିଛନ୍ତି ଯେ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଏହି ତିନି ଆଦିବାସୀ ଭାଷାକୁ ଅନ୍ତର୍ଭୁକ୍ତ କରିବାର ଏକ ବଡ ଆବଶ୍ୟକତା ଅଛି । ରାଜ୍ୟରେ ଅନୁସୂଚିତ ଜନଜାତିର ଜନସଂଖ୍ୟା ୨୨.୮୫ ପ୍ରତିଶତରୁ ଅଧିକ, ଓଡିଶାରେ ୬୨ଟି ଆଦିବାସୀ ସମ୍ପ୍ରଦାୟ ବାସ କରନ୍ତି, ଯେଉଁଥିରେ ୧୩ଟି ବିଶେଷ ଭାବରେ ବିଲୁପ୍ତ ପ୍ରାୟ ଆଦିବାସୀ ସମ୍ପ୍ରଦାୟ (ପିଭିଟିଜି) ଅନ୍ତର୍ଭୁକ୍ତ ।
ଏହି ତିନୋଟି ଭାଷା ହୋ, ମୁଣ୍ଡାରି ଏବଂ ଭୂମିଜ୍ କହୁଥିବା ଆଦିବାସୀ ସମ୍ପ୍ରଦାୟ ସେମାନଙ୍କ ଭାଷାକୁ ସମ୍ବିଧାନରେ ସାମିଲ କରିବା ପାଇଁ ଦୀର୍ଘଦିନ ଧରି ଦାବି କରି ଆସୁଛନ୍ତି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ଭାରତର ମାନ୍ୟବର ଗୃହମନ୍ତ୍ରୀଙ୍କୁ ଲେଖିଥିଲେ ଏବଂ ଏହି ତିନୋଟି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ । ବିଜୁ ଜନତା ଦଳର ସାଂସଦମାନେ ମଧ୍ୟ ସଂସଦରେ ଏହି ଦାବି ବାରମ୍ବାର ଉଠାଇଥିଲେ । ତେବେ ଏହା ଆଶ୍ଚର୍ଯ୍ୟଜନକ ଯେ ଓଡିଶାର ବିଜେପି ସାଂସଦ ତଥା ମାନ୍ୟବର କେନ୍ଦ୍ର ମନ୍ତ୍ରୀମାନେ, ବିଶେଷକରି ଓଡିଶାର ଆଦିବାସୀ ସମ୍ପ୍ରଦାୟର ମନ୍ତ୍ରୀ ଓ ସାଂସଦମାନେ; ଏହି ପ୍ରସଙ୍ଗରେ ଚୁପ୍ ରହିବା ଏବଂ ସଂସଦରେ କିମ୍ବା ଅନ୍ୟ କୌଣସି ପ୍ଲାଟଫର୍ମରେ ଏହି ପ୍ରସଙ୍ଗରେ କଦାପି ସ୍ୱର ଉତ୍ତୋଳନ କରୁ ନାହାନ୍ତି ।
ହୋ ଭାଷା ଓଡିଶା ଏବଂ ଝାଡଖଣ୍ଡରେ ରହୁଥିବା ପ୍ରାୟ ୧୦ ଲକ୍ଷ ଆଦିବାସୀଙ୍କ ଦ୍ୱାରା କଥିତ ଭାଷା । ଅଷ୍ଟମ ଅନୁଚ୍ଛେଦରେ ସାମିଲ ହୋଇସାରିଥିବା ସାନ୍ତାଳି ପରେ ହୋ ହେଉଛି ଓଡିଶାରେ ବହୁଳ ଭାବେ କୁହାଯାଉଥିବା ଦ୍ୱିତୀୟ ଆଦିବାସୀ ଭାଷା । ଭାରତ ମୁଣ୍ଡା ସମାଜର ଓଡିଶା ସଭାପତି ତଥା ସର୍ବଭାରତୀୟ ମୁଣ୍ଡାରୀ ଭାଷା ଶିକ୍ଷା ବୋର୍ଡର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ସିଂହ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ସମଗ୍ର ଦେଶରେ ପ୍ରାୟ ୭୫ ଲକ୍ଷ ଲୋକ ମୁଣ୍ଡାରୀ ଭାଷା କହୁଥିବାବେଳେ ଓଡିଶାର ୮ ଲକ୍ଷରୁ ଅଧିକ ଲୋକେ ମୁଣ୍ଡାରୀ ଭାଷା କହିଥାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାର ପ୍ରାଥମିକ ସ୍ତରରେ ଏହି ଭାଷାରେ ଶିକ୍ଷାଦାନ ଲାଗି ୨୫୦ ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତି କରିଛନ୍ତି । ମୁଣ୍ଡାରୀ ଭାଷାର ନିଜସ୍ୱ ଲିପି ରହିଛି ଯାହାର ନାଁ ହେଉଛି ‘ମୁଣ୍ଡାରୀ ବାଣୀ’ ବୋଲି ସେ କହିଛନ୍ତି । ସେହିଭଳି ଓଡିଶାରେ ତିନି ଲକ୍ଷରୁ ଅଧିକ ଲୋକେ ଭୂମିଜ କହିଥାନ୍ତି ।
ଆଦିବାସୀ ଭାଷାକୁ ମାନ୍ୟତା ଦେବା ପାଇଁ ଓଡିଶା ସରକାର ଅନେକ ପଦକ୍ଷେପ ଗ୍ରହଣ କରିବା ସହିତ ଆଦିବାସୀ ଭାଇ ଓ ଭଉଣୀଙ୍କ ସଶକ୍ତିକରଣ ତଥା ବିକାଶ ଦିଗରେ କାର୍ଯ୍ୟ କରିଆସୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଆଦିବାସୀ ବାଳିକାମାନଙ୍କୁ ହଷ୍ଟେଲ ଯୋଗାଇ ଦେଇଛନ୍ତି । ସେ ଓଡିଶାର ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ବିକାଶ ପରିଷଦ (ଏସଡିସିଏଚ୍) ଗଠନ କରିଛନ୍ତି ଯାହାକି ଆଦିବାସୀ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର, ଦେଶୀୟ ଜ୍ଞାନକୁ ସ୍ୱୀକୃତି ଏବଂ ଆଦିବାସୀ ସଂସ୍କୃତି, ପରମ୍ପରା ଏବଂ ପ୍ରଥାଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତି ଦିଗରେ କାର୍ଯ୍ୟ କରୁଛି । ଏଭଳି ସ୍ଥିତିରେ ଉପରୋକ୍ତ ତିନି ଆଦିବାସୀ ଭାଷାକୁ ତୁରନ୍ତ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାପାଇଁ ବିଜେଡି ପକ୍ଷରୁ ଦାବି ହୋଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ତଥା କେନ୍ଦୁଝର ଜିଲ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ତଥା ବିଜେଡିର ସାଧାରଣ ସମ୍ପାଦକ ଧର୍ନୁଜୟ ସିଦ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ ।