ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା
ପୀଡ଼ିତାଙ୍କ ଘରକୁ ଗସ୍ତ କଲା ବିଜେଡି ପ୍ରତିନିଧିମଣ୍ଡଳୀ
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଭଡ଼ାଘରେ ଜଣେ ଅଜଣା ମୁଖାପିନ୍ଧା ବ୍ୟକ୍ତି ପ୍ରବେଶ କରି ବନ୍ଧୁକ ଦେଖାଇ ଧମକ ଦେବା ସହ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ପୀଡ଼ିତାଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ଘର ମାଲିକ ଓ ପଡ଼ୋଶୀମାନଙ୍କ ସହ ଆଲୋଚନା କରିଥିଲା ବିଜେଡିର ଏକ ପ୍ରତିନିଧିମଣ୍ଡଳୀ । ଏହାପରେ ବିଜେଡି ପ୍ରତିନିଧିମଣ୍ଡଳୀ ଡିସିପିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲା । ପ୍ରତିନିଧିମଣ୍ଡଳୀ ପୋଲିସ୍କୁ ସ୍ୱଚ୍ଛ ଓ ନିରପେକ୍ଷ ତଦନ୍ତ କରିବାକୁ ଦାବି କରିବା ସହ ପୀଡ଼ିତାଙ୍କ ଘର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସିସିଟିଭି ଫୁଟେଜ୍, ଫରେନସିକ୍ ପ୍ରମାଣ, ଫିଙ୍ଗରପ୍ରିଣ୍ଟ୍, ଡିଜିଟାଲ୍ ଓ ଇଲେକ୍ଟ୍ରୋନିକ୍ ପ୍ରମାଣ, କଲ୍ ରେକର୍ଡ ଯାଞ୍ଚ କରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ କହିଥିଲେ । ଏହି ଘଟଣାରେ ବ୍ୟବହୃତ ହୋଇଥିବା ବନ୍ଧୁକ ସମ୍ପର୍କରେ ତଦନ୍ତ କରିବାକୁ ମଧ୍ୟ କହିଥିଲେ । ପୀଡ଼ିତାଙ୍କ ମର୍ଯ୍ୟାଦା, ଗୋପନୀୟତା ଓ ପରିଚୟକୁ ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବା ସହ ଆଇନଗତ ପ୍ରକ୍ରିୟା ସମୟରେ ପୀଡ଼ିତା ଓ ତାଙ୍କ ପରିବାରକୁ ଆବଶ୍ୟକ ସମସ୍ତ ସହାୟତା ଓ ସୁରକ୍ଷା ଯୋଗାଇ ଦିଆଯାଉ । ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ୱରେ ଯାଇଥିବା ଏହି ପ୍ରତିନିଧିମଣ୍ଡଳୀରେ ମେୟର ଶ୍ରୀମତୀ ସୁଲୋଚନା ଦାସ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ସୁମିତ୍ରା ଜେନା, ଡ଼ ମିନତୀ ବେହେରା, ଡ଼ ଗୀତା ବସ୍ତିଆ, ଡ଼ ପ୍ରିୟବ୍ରତ ମାଝୀ, ଶ୍ରୀମତୀ ମାନସୀ ସୁନ୍ଦରାୟ, ଶ୍ରୀମତୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା, ଶ୍ରୀମତୀ ଅମୃତା ମିଶ୍ର, ଶ୍ରୀମତୀ ରଶ୍ମିରାଣୀ ବେହେରା, ଶ୍ରୀ ଭରତ କୁମାର ଲେଙ୍କା, ଶ୍ରୀ ବିକ୍ରମ ରଞ୍ଜିତ ପଟ୍ଟନାୟକ, ଶ୍ରୀ ନୀଳମାଧବ ମହାନ୍ତି, ଏସ୍.କେ. ରିହାନ୍ ପ୍ରମୁଖ ସାମିଲ ଥିଲେ ।










