ଭୁବନେଶ୍ୱର: ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ହସ୍ପିଟାଲକୁ ଯାଇ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଶ୍ରୀଯୁକ୍ତ ସାମଲଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ହସ୍ପିଟାଲରେ ଶ୍ରୀଯୁକ୍ତ ସାମଲଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବିଜେଡି ପ୍ରତିନିଧି ମଣ୍ଡଳୀ । ସେହିପରି ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ମା ଅସୁସ୍ଥ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମଧ୍ୟ ବିଜେଡି ପ୍ରତିନିଧି ମଣ୍ଡଳୀ ଭେଟିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ବାବଦରେ ଡାକ୍ତରଙ୍କ ସହ ଆଲୋଚନା କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଜେଡି ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶ୍ରୀ ସୁଭାଶିଷ ଖୁଣ୍ଟିଆ, ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ସଞ୍ଜୀବ ମଲ୍ଲିକ ଓ ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ ପ୍ରମୁଖ ସାମିଲ ଥିଲେ ।










