28.1 C
Bhubaneswar
Sunday, June 30, 2024
Homeଓଡିଶାମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର: ବିଜେଡି

ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ଓ ବିଭ୍ରାନ୍ତିକର: ବିଜେଡି

 ଟ୍ରିପଲ ଇଞ୍ଜିନ୍ ସରକାରରେ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରୁ ବିଜେପି ସରକାର
 ତତ୍କାଳୀନ ବିଜେଡି ସରକାର ଓ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ ଯୋଗୁଁ ହିଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇପାରିଥିଲା
ଭୁୁବନେଶ୍ୱର : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଦେଇଥିବା ବକ୍ତବ୍ୟକୁ ବିଭ୍ରାନ୍ତିକର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଛନ୍ତି ଯେ, ମହାନଦୀ ଓଡିଶାର ୧୬ ଜିଲ୍ଲାର ଲୋକଙ୍କ ଜୀବନଧାରା । ହେଲେ ଏହା ଉପରେ ଛତିଶଗଡ ମନମାନି କରିଆସୁଛି । ହୀରାକୁଦର ଉପମୁଣ୍ଡରେ ଛତିଶଗଡ ସରକାର ଓ ତଳମୁଣ୍ଡରେ ଓଡିଶା କେତେ ପାଣି ବ୍ୟବହାର କରିବ, ଏନେଇ ଉଲ୍ଲେଖ ରହିଛି । ତଥାପି ଛତିଶଗଡ ମହାନଦୀ ଉପରେ ଏକଚାଟିଆ ଅଧିକାର ସାବ୍ୟସ୍ତ କରି ବେଆଇନ ଭାବେ କାର୍ଯ୍ୟ କରିଚାଲିଛି ।
ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଛତିଶଗଡର ବେଆଇନ କାମ ବିରୋଧରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଓ ସିଡବ୍ଲ୍ୟୁସିଙ୍କ ନିକଟରେ ବାରମ୍ବାର ଓଡିଶା ସରକାର ଓ ଶ୍ରୀ ନବୀନ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ । ଏପରିକି ତତ୍କାଳୀନ ଜଳସଂପଦ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୨୦୧୬ରେ ଦିଲ୍ଲୀରେ ବସିଥିବା ବୈଠକରେ ଛତିଶଗଡର ବେଆଇନ କାମକୁ ଅଟକାଇବା ପାଇଁ ଶ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ ଭାବେ ଦାବି ରଖିବା ସତ୍ତ୍ୱେ ମଧ୍ୟ କୈଣସି ନିର୍ଦ୍ଦେଶ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇନଥିଲା । ସେତେବେଳେ ଓଡିଶାର ସ୍ୱାର୍ଥକୁ ସଂପୂର୍ଣ୍ଣ ଅଣଦେଖା କରିଥିଲେ କେନ୍ଦ୍ର ସରକାର ।
ଛତିଶଗଡର ଅନଧିକାର ବ୍ୟାରେଜ୍ ନିର୍ମାଣ ବିରୋଧରେ ସମସ୍ତ ଫୋରମରେ ଆଲୋଚନା ପରେ ଯେତେବେଳେ ସୁଫଳ ମିଳିଲାନି, ସେତେବେଳେ ରାଜ୍ୟ ସରକାର ସମାଧାନ ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ । ଟ୍ରିବ୍ୟୁନାଲ ଗଠନରେ ମଧ୍ୟ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଶେଷରେ ମହାନଦୀ ଟ୍ରିବ୍ୟୁନାଲ ଗଠନ ହେଲା । ଏଥିରେ ଓଡିଶା ପକ୍ଷରୁ ସମସ୍ତ ଦଲିଲ୍ ଉପସ୍ଥାପନ କରାଯାଇ ପକ୍ଷ ରଖାଯାଇଛି । ଟ୍‌ିବ୍ୟୁନାଲର ଅବଧି ଏବେ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଯାଇଛି ।
ମହାନଦୀ ପାଇଁ ଓଡିଶା ନ୍ୟାୟିକ ଲଢେଇ ଲଢିଛି, ରାଜରାସ୍ତାରେ ସଂଗ୍ରାମ କରିଛି, ଆଲୋଚନା ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିଛି । ହେଲେ କେନ୍ଦ୍ର ନୀରବଦ୍ରଷ୍ଟା ସାଜି ସେତେବେଳେ ଛତିଶଗଡରେ ଥିବା ବିଜେପି ସରକାରକୁ ସୁହାଇଲା ଭଳି କାର୍ଯ୍ୟ କରିଥିଲା । ତେଣୁ ମହାନଦୀକୁ ନେଇ ଓଡିଶା ସରକାର କିଛି କରିନଥିଲେ । ଏଭଳି ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ସମସ୍ୟାର ସମାଧାନ ପାଇଁ ବିଜେପି ସରକାର ଉଦ୍ୟମ କରିବା ଦରକାର । ମହାନଦୀ ପ୍ରସଙ୍ଗରେ ବିଜେଡି ସଂପୂର୍ଣ୍ଣ ସଚେତନ ରହିଛି । ଆଉ ମହାନଦୀ ଅବବାହିକା ଅଧିବାସୀଙ୍କ ସ୍ୱାର୍ଥ ହାସଲ ପାଇଁ ବିଜେଡି ସଂପୂର୍ଣ୍ଣ ସଜାଗ ରହିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଆଳିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଥିଲେ, ମହାନଦୀ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ । ଡବଲ ଇଂଜିନ ସରକାରରେ ପ୍ରଗତି ଦୁଇଗୁଣ ହେବ ବୋଲି ନିର୍ବାଚନ ସମୟରେ ବିଜେପି ନେତା କହିଥିଲେ । ଏବେ ମହାନଦୀ ପ୍ରସଙ୍ଗରେ ଟ୍ରିପଲ ଇଂଜିନ୍ ସରକାର ରହିଛି । କେନ୍ଦ୍ରରେ, ଛତିଶଗଡରେ, ଓଡିଶାରେ ସବୁଠି ବିଜେପିର ସରକାର । ଏବେ ଆଉ ବାହାନା ଖୋଜିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କରାଯାଉ । ରାଜସ୍ୱମନ୍ତ୍ରୀଙ୍କୁ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀ ଲୋକଙ୍କୁ ଉତ୍ତର ଦେବାକୁ ପଡିବ, କାରଣ ମହାନଦୀରେ ପାଣି ନଆସିବା ଦ୍ୱାରା ସେମାନେ ବି ପ୍ରଭାବିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking