30.1 C
Bhubaneswar
Sunday, September 29, 2024
Homeଓଡିଶାବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି

ବିରୋଧୀ ଦଳ ନେତାଙ୍କୁ ୫-ଟି ଭୂତ ଲାଗିଛି: ବିଜେଡି

 ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି
 ୫-ଟି କ’ଣ ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ?
 ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ଏକ ପ୍ରଗତିଶୀଳ ଆନ୍ଦୋଳନ
ଭୁବନେଶ୍ୱର,: ମାନ୍ୟବର ବି‌ରୋଧୀଦଳ ନେତା ମାନସିକ ଭାରସାମ୍ୟ ହରାଇଥିଲେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କ୍ରମଶଃ ତାଙ୍କର ଏମିତି ମତିଭ୍ରମ ଘଟିଲାଣି ଯେ ପ୍ରତିଦିନ ପାଗଳଙ୍କ ଭଳି ପ୍ରଳାପ କରି ଲୋକହସା ହେଉଛନ୍ତି । ପ୍ରସଙ୍ଗ ନ ଥାଇ ବିଧାନସଭାରେ ମଧ୍ୟ ସମୟର ଅପଚୟ କରୁଛନ୍ତି । ଗତକାଲି ଠାରୁ ତାଙ୍କୁ ୫-ଟି ଭୂତ ଲାଗିଛି । ପ୍ରକୃତରେ ୫-ଟି କ’ଣ ତାହା ତାଙ୍କର ବୁଝିବାର ସାମର୍ଥ୍ୟ ନାହିଁ ନା ବୁଝି ଅବୁଝା ହେଉଛନ୍ତି ? ଆଜି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଏମିତି କଟାକ୍ଷ କରିଛନ୍ତି ଶାସକ ଦଳର ବିଧାୟକ ଅରୁଣ ସାହୁ ।
ବିଧାନସଭା ଭିତରେ ଏବଂ ବାହାରେ ତାଙ୍କୁ ଜବାବ ଦେଇ ଶ୍ରୀ ସାହୁ କହିଛନ୍ତି ଯେ ବିରୋଧୀ ଦଳ ନେତା ବାରମ୍ବାର ଅନେକ ଘଟଣା ଉଠାଉଛନ୍ତି ଯାହା କି ହାସ୍ୟାସ୍ପଦ । ୫-ଟିକୁ ନେଇ ସେ ଯାହା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ । ଯଦି ଓଡ଼ିଶାର କୌଣସି ଗାଁକୁ ଯିବେ ଯେଉଁଠି ପ୍ରଗତିର ଲକ୍ଷଣ ଦେଖିବେ, ତାହା ହିଁ ୫-ଟି । ୫-ଟି ଜରିଆରେ ଓଡ଼ିଶାର ସବୁ ନିର୍ବାଚନ ମଣ୍ଡଳୀରେ ସ୍କୁଲଗୁଡ଼ିକ ରୂପାନ୍ତରିତ ହେଉଛି । କେବଳ ସ୍କୁଲ ରୂପାନ୍ତରୀକରଣରେ ଏହା ସୀମିତ ନୁହେଁ । ୫-ଟି ଜରିଆରେ ସାରା ରାଜ୍ୟରେ ରାସ୍ତାଘାଟ, ସେତୁ ନିର୍ମାଣଠୁ ନେଇ ଜଳସେଚନ ପ୍ରକଳ୍ପ ଓ ହସ୍ପିଟାଲ ପ୍ରଭୃତିର ଭିତ୍ତିଭୂମି ନିର୍ମାଣ ଏବଂ ରୂପାନ୍ତରୀକରଣ କରାଯାଉଛି । ୫-ଟି ହେଉଛି ଓଡ଼ିଶା ବିକାଶର ବିଚାରଧାରା ଏବଂ ଏକ ପ୍ରଗତିଶୀଳ ଆନ୍ଦୋଳନ । ଏଥିପାଇଁ କେନ୍ଦ୍ର ସରକାର ମଧ୍ୟ ୫-ଟିକୁ ପ୍ରଶଂସା କରିଛନ୍ତି । ତେଣୁ ଯେତେବେଳେ ରାଜ୍ୟବାସୀ ଏହି ସକାରାତ୍ମକ ପରିବର୍ତ୍ତନ ଓ ରୂପାନ୍ତରୀକରଣକୁ ଅନୁଭବ କରି ଖୁସି ହେଉଛନ୍ତି, ବିରୋଧୀଦଳର ନେତା ହୋଇ ଆପଣ କିପରି ଏହା ଜାଣି ପାରୁନାହାନ୍ତି ବୋଲି ଶ୍ରୀ ସାହୁ ତାଙ୍କୁ ପ୍ରଶ୍ନ କରିଛନ୍ତି ।
ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ରୂପାନ୍ତରୀକରଣ ଯୋଗୁଁ କାୟାକଳ୍ପ ବଦଳି ଯାଇଥିବା ରାଜ୍ୟର ସ୍କୁଲଗୁଡ଼ିକର ସବୁଜ ରଙ୍ଗକୁ ଦେଖି ବିରୋଧୀଦଳ ନେତା ପ୍ରଳାପ କରିବା ଆରମ୍ଭ କଲେଣି । ସେ ଏତେ ଅସହିଷ୍ଣୁ ହୋଇ ପଡ଼ିଛନ୍ତି ଯେ ସ୍କୁଲର ସବୁଜ ରଙ୍ଗକୁ ନେଇ ପାକିସ୍ତାନ କଥା ଉଠାଇଲେଣି । ସେ ଭୁଲି ଯାଉଛନ୍ତି ଯେ ଭାରତର ଜାତୀୟ ପତାକାରେ ଏବଂ ତାଙ୍କ ଦଳ ବିଜେପିର ପତାକାରେ ବି ସବୁଜ ରଙ୍ଗ ରହିଛି । ସେ କ’ଣ ସବୁଜ ପନିପରିବା ବି ଖାଉନାହାନ୍ତି ? ଏମିତି ପ୍ରତିଦିନ ନୂଆ ନୂଆ ନାଟକବାଜି କରି ସେ ଯେ କେତେ ଲୋକହସା ହେଉଛନ୍ତି, ତାହା ବୋଧହୁଏ ଜାଣି ପାରୁନାହାନ୍ତି । ଈଶ୍ୱରଙ୍କ ଠାରେ ପ୍ରାର୍ଥନା କରୁଛୁ, ବିରୋଧୀଦଳ ନେତାଙ୍କୁ ତାଙ୍କ ଦଳର ନେତାମାନେ ତୁରନ୍ତ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟକୁ ନେଇ ଚିକିତ୍ସା କରାନ୍ତୁ ଏବଂ ସେ ଆଶୁ ଆରୋଗ୍ୟ ଲାଭ କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking