ନିର୍ବାଚନୀ ସମୟର ପ୍ରତିଶ୍ରୁତିକୁ ମନେ ପକାଇଦେଲା ବିଜେଡି
ବିଜେପୁର ଓ ପଦ୍ମପୁର ନିର୍ବାଚନ ବେଳର ପ୍ରତିଶ୍ରୁତି ପାଣିର ଗାର
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଠାରୁ ରେଳଲାଇନ୍ ପର୍ଯ୍ୟନ୍ତ କିଛି ବି ପୂରଣ ହୋଇନି
ଭୁବନେଶ୍ୱର, : ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗୋଟି ଗୋଟି କରି ମନେ ପକାଇ ଦେଇଛି ବିଜେଡି । ଶ୍ରୀ ପ୍ରଧାନଙ୍କ ଟୁଇଟ୍ର ଜବାବରେ ପ୍ରତିଶ୍ରୁତିର ଲମ୍ବା ତାଲିକା ଦେଇ ଟୁଇଟ୍ କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ।
ଡକ୍ଟର ପାତ୍ର ତାଙ୍କ ଟୁଇଟ୍ରେ କହିଛନ୍ତି ଧର୍ମେନ୍ଦ୍ର ଭାଇ ଓଡିଶା ପାଇଁ ସ୍ୱତନ୍ତ୍ର ବର୍ଗ ପାହ୍ୟା ଏବେ କେଉଁଠାରେ ଅଛି? ୨୦୧୪ ଏପ୍ରିଲ୍ ୫ ତାରିଖରେ ଏହାକୁ ଆପଣ ନିଜ ଦଳର ନିର୍ବାଚନୀ ଇସ୍ତାହାରରେ ଏହା ଉଲ୍ଲେଖ କରିଥିଲେ । ନିର୍ବାଚନ ପୂର୍ବରୁ ଆପଣ ପ୍ରତିଶ୍ରୁତି ଦେଇଥିଲେ, ନିର୍ବାଚନ ପରେ ଆପଣ ଭୁଲିଗଲେ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଆପଣ କେନ୍ଦୁ ପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ପରେ ଆପଣ ଭୁଲିଗଲେ । ୨୦୧୮ରେ ବିଜେପୁର ଉପନିର୍ବାଚନ ପୂର୍ବରୁ ଏବଂ ୨୦୨୨ରେ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ପଦ୍ମପୁର ପାଇଁ ରେଳଲାଇନ୍ର ପ୍ରତିଶ୍ରୁତି ଦେଇଥିଲ । କିନ୍ତୁ ନିର୍ବାଚନ ପରେ ଆପଣ ଏହାକୁ ବି ଭୁଲି ଯାଇଛନ୍ତି ।
ଆପଣ ୨୦୧୪ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ଧାନର କ୍ରୟ ମୂଲ୍ୟ ଦୁଇଗୁଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ନିର୍ବାଚନ ପରେ ଭୁଲିଗଲେ । କେନ୍ଦ୍ରାପଡାକୁ ରେଳ ସଂଯୋଗ ହେଉ କିମ୍ବା ଉପକୂଳ ରାଜପଥ ହେଉ କିମ୍ବା ଏହିପରି ଅନେକ ପ୍ରତିଶ୍ରୁତି, ନିର୍ବାଚନ ପୂର୍ବରୁ ଆପଣଙ୍କ ଦ୍ୱାରା ଏପରି ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା ଯାହା କେବଳ ନିର୍ବାଚନ ପରେ ଭୁଲିଯିବା ପାଇଁ । ତେଣୁ ଆମର ମାନ୍ୟବର ନେତା ଆଜି ଆପଣଙ୍କର ସ୍ମୃତିକୁ ସତେଜ କରିବା ପାଇଁ ବରଗଡରେ ପ୍ରଭୁ ନୃସିଂହନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଓଡିଶାର ଲୋକଙ୍କ ମଙ୍ଗଳ ପାଇଁ ଏହା ଏକ ଭଲ ପ୍ରାର୍ଥନା । ଯେତେବେଳେ ସତ୍ୟ କୁହାଯାଏ ସେତେବେଳେ ଉତ୍ତେଜିତ ହେବାର କୌଣସି ଆବଶ୍ୟକତା ନାହିଁ ଏବଂ ଓଡ଼ିଶାବାସୀଙ୍କୁ ଆପଣଙ୍କ ଭୁଲିଯାଇଥିବା ପ୍ରତିଶ୍ରୁତି ବିଷୟରେ ମନେ ପକାଇବା ପାଇଁ ଏଭଳି ପ୍ରାର୍ଥନା ବୋଲି ଡକ୍ଟର ପାତ୍ର କହିଛନ୍ତି ।