ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଏନେଇ ସୋମବାର ୩ ଦଳ ବିଜେପି, ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ଯେଉଁଥିରେ ଆଉ ୩ ଦଳ ବିଧାନସଭା ପାଇଁ ନିଜ ନିଜ ରଣନୀତି ପ୍ରସ୍ତୁତ କରିଛନ୍ତି। ସୋମବାର ଶଙ୍ଖଭବନରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ବିଜେଡି ବିଧାୟକ ଦଳ ବୈଠକ। ଏଥିରେ ନିର୍ବାଚିତ ସଭ୍ୟମାନେ ଉପସ୍ଥିତ ଥିଲେ। ଗୃହରେ ଅନୁପସ୍ଥିତ ନରହିବାକୁ ନବୀନ ପରାମର୍ଶ ଦେବା ସହ ଲୋକଙ୍କ ସ୍ୱାର୍ଥ ଅଧାରିତ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବାକୁ ମଧ୍ୟ କହିଥିଲେ। ଅନ୍ୟପକ୍ଷରେ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଗଣମାଧ୍ୟମକୁ କହିଥିଲେ ଯେ, ନବୀନ ବାବୁଙ୍କ ନେତୃତ୍ୱରେ ନିୟମିତ ଭାବରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦୃଢ଼ ଦାବି କରାଯାଇଆସୁଛି। ୨୦୧୨ରେ, ଦିଲ୍ଲୀର ଲାଲକିଲ୍ଲା ପଡ଼ିଆରେ ଏକ ବିଶାଳ ଜନସଭା ଆୟୋଜନ କରି ଏହି ଦାବିକୁ ଭାରତ ସରକାରଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଭାବେ ଜଣା ଥିବା ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିଲେ, ଓଡ଼ିଶାରେ ଭିତ୍ତିଭୂମିର ବିକାଶ, ଜନଜାତି ସମ୍ପ୍ରଦାୟର ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ହାସଲ ହୋଇପରିବ। ମାତ୍ର ରାଜ୍ୟ ସରକାର ତାହା କରୁନାହାନ୍ତି। ଏହାକୁ ନେଇ ଆମ ଦଳ ସରକାରଙ୍କୁ ଘେରିବ ବୋଲି ସେ ପ୍ରକାଶ କରିଛନ୍ତି।
ସେହିପରି ବିଧାନସଭା ପରିସରରେ କଂଗ୍ରେସ ବିଧାୟକ ଦଳ ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସ ଯୋଗଦେଇ ଦଳର ରଣନୀତି ଉପରେ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ବିବୃତି ଦେଇ ଶ୍ରୀ ଦାସ କହିଛନ୍ତି ଯେ ଏକ ଦାୟିତ୍ୱବାନ ବିରୋଧୀ ଦଳ ଭାବରେ ଲୋକଙ୍କ ସମସ୍ୟାକୁ ଉପସ୍ଥାପିତ କରିବା ସହ ସରକାରଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଆମେ ଦୃଢ଼ ପ୍ରତିବଦ୍ଧ। କୃଷକଙ୍କୁ ଠକାମୀ ଏବଂ ଲୁଟ, ଶିଳ୍ପସଂସ୍ଥା ଗୁଡିକର ପ୍ରଦୂଷଣ ଓ ବିସ୍ଥାପନ ସମସ୍ୟା, ମହାନଦୀ ଜଳ ବିବାଦ, କୃଷକଙ୍କୁ ମାଗଣା ବିଜୁଳି ଓ ଉପଭୋକ୍ତାଙ୍କୁ କରଛାଡ଼, ନାରୀ ସୁରକ୍ଷା ସମ୍ମାନ ଓ ନ୍ୟାୟ, ଯୁବକଙ୍କୁ ରୋଜଗାର, ଦଳିତ ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ, ଚାକିରି କେଳେଙ୍କାରୀ ଆଦି ସମସ୍ତ ବିଷୟ ତଥା ସାଧାରଣ ଜନତାଙ୍କୁ ସରକାର ଦେଇଥିବା ପ୍ରତିଶୃତି ପାଳନରେ ଅସମର୍ଥତା ନେଇ କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କୁ ଘେରାଯିବା କାର୍ଯ୍ୟକ୍ରମ ରହିଛି। ବୈଠକରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡିଶା କଂଗ୍ରେସ ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାରଙ୍କ ସମେତ ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବିଧାନସଭାର ୫୪ ନଂ ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ସମସ୍ତ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ। ବଜେଟ ଅଧିବେଶନ ବେଳେ ବିରୋଧୀଙ୍କ ପ୍ରଶ୍ନକୁ କେମିତି କାଉଣ୍ଟର କରାଯିବ ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯାଇଛି।










