ଭୁବନେଶ୍ୱର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗର ଦୃଢ଼ ଜବାବ ଦେଇଛି ବିଜେଡି । ଏହାସହ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି ।
ଧାମନଗର ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ଭୋଟ ପ୍ରଚାର ଚାଲିଥିବାବେଳେ ବିଜେପି ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜଣେ ମହିଳାଙ୍କ ମୁହଁ ଘୋଡାଇ ଟଙ୍କା ବଣ୍ଟା କରାଇଥିବା ଆମ ଦୃଷ୍ଟିକୁ ଆସିଛି । ଷଡ଼ଯନ୍ତ୍ର କରି ବିଜେପି ସ୍ୱାଭିମାନୀ ଧାମନଗର ମାଟିର ଏସ୍ଏଚଜି ମହିଳାମାନଙ୍କୁ ବଦନାମ ଓ ଅପମାନିତ କରିବାକୁ ଚେଷ୍ଟା କରୁଛି । ବିଜେପିର ଏହି ଅଭିସନ୍ଧି ମୂଳକ ହୀନ ରାଜନୀତି ଅତ୍ୟନ୍ତ ନିନ୍ଦନୀୟ । ବିଜୁ ଜନତା ଦଳ ସବୁ ବେଳେ ଏସ୍ଏଚଜିର ମା’ମାନଙ୍କୁ ସମ୍ମାନ କରେ ଏବଂ ସେମାନଙ୍କ ଉନ୍ନତି ଲାଗି ଦିନରାତି କାମ କରି ଆସୁଛି ।
ମା’ମାନେ ମଧ୍ୟ ସବୁ ନିର୍ବାଚନରେ ଆମ ଦଳକୁ ଆଶୀର୍ବାଦ କରି ଆସିଛନ୍ତି । ଧାମନଗର ଉପନିର୍ବାଚନରେ ମଧ୍ୟ ଏହା ପୁନର୍ବାର ହେବାକୁ ଯାଉଥିବାରୁ ଏଥିରେ ଆତଙ୍କିତ ହୋଇ ବିଜେପି ଏଭଳି ହୀନ ରାଜନୀତି କରୁଛି । ରାଜନୀତିକୁ ରାଜନୀତି ଭଳି କରାଯାଉ । ବିଜେପି ଏସ୍ଏଚଜି ମହିଳାମାନଙ୍କୁ ଅପମାନିତ କରି ରାଜନୀତିକୁ କଳୁଷିତ ନ କରୁ । ନଚେତ୍ ଧାମନଗରର ଏସ୍ଏଚଜି ମା’ମାନେ ହିଁ ଏହି ଉପନିର୍ବାଚନରେ ହିଁ ବିଜେପିକୁ ଉଚିତ ଜବାବ ଦେବେ ।