19.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଲାଡେନ ପୁଅ ହମ୍‌ଜା ଏବେ ବି ଜୀବିତ; ଆଫଗାନିସ୍ତାନରେ ପକାଇଛି ଡେରା

ଲାଡେନ ପୁଅ ହମ୍‌ଜା ଏବେ ବି ଜୀବିତ; ଆଫଗାନିସ୍ତାନରେ ପକାଇଛି ଡେରା

କାବୁ: ଆତଙ୍କବାଦୀ ସଂଗଠନ ଅଲ୍ କାଏଦାର ପୂର୍ବତନ ମୁଖ୍ୟ ତଥା ସହ ସଂସ୍ଥାପକ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନର ପୁଅ ହମ୍‌ଜା ବିନ ଲାଡେନ୍ ଏବେ ବି ଜୀବିତ ରହିଛି ଏବଂ ସେ ଅଲ୍ କାଏଦା ସଂଗଠନର ନେତୃତ୍ୱ ନେଉଛି। ଗୁଇନ୍ଦା ରିପୋର୍ଟ ଅନୁସାରେ, ହମ୍‌ଜା ଏବେ ନିଜ ବାପା ଓସାମା ଭଳି ଅତ୍ୟନ୍ତ ସୁରକ୍ଷିତ ସ୍ଥାନରେ ଗୁପ୍ତ ଭାବେ ରହିଛି। ହମ୍‌ଜା ନିଜ ସହ ଅନ୍ୟ ଏକ ଭାଇ ଅବଦୁଲ୍ଲା ବିନ୍ ଲାଡେନ (ଲାଡେନ୍‌ର ଅନ୍ୟତମ ପୁଅ)କୁ ସାଥୀ କରି ଆଫଗାନିସ୍ତାନରେ ଅଲ କାଏଦାର ନେଟୱର୍କ ବିସ୍ତାର କରିବାରେ ଲାଗିଛି। ତାଲିବାନ ବିରୋଧୀ ମିଲିଟାରୀ ସଂଗଠନ ନ୍ୟାଶନାଲ ମୋବିଲାଇଜେସନ ଫ୍ରଣ୍ଟ (ଏନ୍‌ଏମ୍‌ଏଫ୍‌) ବିସ୍ତୃତ ଭାବେ ହମଜା ଓ ତା’ର ସହଯୋଗୀଙ୍କ ଅପରେସନ ସମ୍ପର୍କରେ ରିପୋର୍ଟ ପ୍ରକାଶ କରିଛି। ଆତଙ୍କର କ୍ରାଉନ ପ୍ରିନ୍ସ ଭାବେ ପରିଚୟ ହାସଲ କରିଥିବା ହମ୍‌ଜା ଏବେ ଉତ୍ତର ଆଫଗାନିସ୍ତାନରେ ରହିଛି। ତା’କୁ ସୁରକ୍ଷା ଦେବା ପାଇଁ ତା’ ଆଖପାଖରେ ସବୁବେଳେ ୪୫୦ ଜଣ ସ୍ନାଇପର ରହୁଛନ୍ତି ବୋଲି ଏନ୍‌ଏମ୍‌ଏଫ୍ ଦର୍ଶାଇଛି।
୨୦୧୯ରେ ଆମେରିକା ସେନା ପକ୍ଷରୁ କରାଯାଇଥିବା ଏକ ଏୟାର ଷ୍ଟ୍ରାଇକ୍‌ରେ ହମ୍‌ଜା ପ୍ରାଣ ହରାଇଥିବା ନେଇ ଆମେରିକା ସେନା ଦାବି କରିଥିଲା। ସେବେଠାରୁ ହମ୍‌ଜାର ଗତିବିଧି ସମ୍ପର୍କରେ ମଧ୍ୟ କୌଣସି ସୂଚନା ସାମ୍ନାକୁ ଆସୁନଥିଲା। ଫଳରେ ହମ୍‌ଜା ବାସ୍ତବରେ ମୃତ୍ୟୁବରଣ କରିଥିବା ନେଇ ଧରିନିଆଯାଇଥିଲା। କିନ୍ତୁ ଏବେ ଆମେରିକା ସେନାର ଏହି ଦାବିକୁ ଏନଏମଏଫ ରିପୋର୍ଟ ଖଣ୍ଡନ କରିଛି। ଏଥିରେ କୁହାଯାଇଛି ଯେ ଲାଡେନ ନିହତ ହେବା ପରେ ଅୟମାନ ଅଲ ଜୱାହିରି ଅଲ୍‌କାଏଦା କଥା ବୁଝିବା ଆରମ୍ଭ କରିଥିଲା। ତା’ ପାଖରେ ହମ୍‌ଜା ରହିଥିଲା। ଜୱାହିରି ସହ ସେ ମିଳିତ ଭାବେ କାମ କରୁଥିଲା। ତେଣୁ ହମ୍‌ଜାର ମୃତ୍ୟୁଜନିତ ଖବରରେ କୌଣସି ସତ୍ୟତା ନାହିଁ। ପ୍ରକାଶ, ହମ୍‌ଜାକୁ ଆମେରିକା ବିଶ୍ୱସ୍ତରୀୟ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା। ଏପରିକି ତା’ର ମୃତ୍ୟୁ ପୂର୍ବରୁ ସେ ଇରାନରେ ଗୃହବନ୍ଦୀ ହୋଇ ରହିଥିବା ମଧ୍ୟ କୁହାଯାଉଥିଲା। ହେଲେ ସେ ଏବେ ଆଫଗାନିସ୍ତାନରେ ସକ୍ରିୟ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।
ଏନ୍‌ଏମ୍‌ଏଫ୍ ଅନୁସାରେ କାବୁଲରୁ ନିର୍ବାଚିତ ସରକାର ୨୦୨୧ରେ ହଟିବା ପରେ ଆଫଗାନିସ୍ତାନ ଧୀରେଧୀରେ ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକର ତାଲିମ ପେଣ୍ଠ ପାଲଟିଯାଇଛି। ହମଜା ବିନ ଲାଡେନ ନିଜର ସହଯୋଗୀମାନଙ୍କ ସହ ପଞ୍ଜଶିରରେ ଥିବା ଦାରା ଅବଦୁଲ୍ଲା ଖେଲ ଜିଲ୍ଲାରେ ନିଜ ଡେରାପକାଇଛି। ସେଠାରେ ତାକୁ ୪୫୦ ଆରବ ଓ ପାକିସ୍ତାନୀ ସୁରକ୍ଷାକର୍ମୀ ସୁରକ୍ଷା ଦେଉଛନ୍ତି। ତା’ କମାଣ୍ଡରେ ଏବେ ଅଲ କାଏଦା ପୁଣି ସଂଗଠିତ ହେଉଛି ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି। ସୂଚନାଯୋଗ୍ୟ, ହମ୍‌ଜାର ବାପା ଓସାମା ବିନ ଲାଡେନକୁ ଆମେରିକାର ସ୍ପେଶାଲ ଫୋର୍ସ ସ୍ୱତନ୍ତ୍ର ଅପରେସନ ମାଧ୍ୟରେ ହତ୍ୟା କରିଥିଲେ। ସେ ପାକିସ୍ତାନର ଆବୋଟ୍ଟାବାଦରେ ଲୁଚି ଥିବା ବେଳେ ତା’କୁ ୨୦୧୧ରେ ହତ୍ୟା କରାଯାଇଥିଲା। ସେ ପୂରା ବିଶ୍ୱକୁ ଦୋହଲାଇ ଦେଇଥିବା ଆମେରିକା ୯/୧୧ ହମଲାର ମାଷ୍ଟରମାଣ୍ଡ। ଏହି ହମଲାରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking