ନୂଆଦିଲ୍ଲୀ : ତୁର୍କୀର ଅନ୍ତଲ୍ୟାରେ ଏପ୍ରିଲ୍ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ବିଲି ଜିନ୍ କିଙ୍ଗ୍ କପ୍ ଏସଆ ଓସେନିଆ ଗ୍ରୁପ୍-୧ ଇଭେଣ୍ଟ୍ ପାଇଁ ଅନୁଭବୀ ସାନିଆ ମିର୍ଜା ଓ ସିଙ୍ଗଲ୍ସ ଖେଳାଳି ଅଙ୍କିତା ରାଇନା ତଥା କର୍ମନ୍ କୌର୍ ଥାଣ୍ଡିଙ୍କୁ ଭାରତୀୟ ଟିମ୍ରେ ସାମିଲ କରାଯାଇଛି । ଋତୁଜା ଭୋସ୍ଲେଙ୍କୁ ଟିମ୍ରେ ସ୍ଥାନ ମିଳିଥିବା ବେଳେ ଜିଲ୍ ଦେଶାଇଙ୍କ ସ୍ଥାନରେ ରିୟା ଭାଟିଆଙ୍କୁ ସାମିଲ କରାଯାଇଛି । ଗତବର୍ଷ କରୋନା ମହାମାରୀ କାରଣରୁ ରିୟା ଖେଳିପାରି ନଥିଲେ । ଉଚ୍ଚ ର୍ୟାଙ୍କିଙ୍ଗ୍ ଯୋଗୁଁ ଚୟନ କମିଟି ପକ୍ଷରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି । ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ୍ରେ ଭାରତ ବ୍ୟତୀତ ଚୀନ୍, ଇଣ୍ଡୋନେସିଆ, ଜାପାନ, କୋରିଆ ଓ ନ୍ୟୁଜିଲାଣ୍ଡ ଭାଗ ନେଉଛନ୍ତି । ଶୀର୍ଷ ଦୁଇଟି ଟିମ୍ ପ୍ଲେଅଫ୍ ଖେଳିବେ । ଗତବର୍ଷ ଏପ୍ରିଲ୍ରେ ପ୍ଲେଅଫ୍ରେ ଲାଟ୍ଭିଆ ଭାରତକୁ ୩-୧ରେ ହରାଇଥିଲା । କ୍ୟାପ୍ଟେନ୍ ବିଶାଳ ଉପ୍ପଲ୍ କହିଛନ୍ତି ଟିମ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରିବାକୁ ହେବ । କ୍ୱାଲିଫିକେସନ୍ ଜୋନ୍ କଷ୍ଟକର ଥିବାବେଳେ ଚୀନ୍ ଓ ଜାପାନଠାରୁ ବିପଦ ରହିଛି ବୋଲି ଉପ୍ପଲ୍ କହିଛନ୍ତି । ଶାଳିନୀ ଠାକୁର ଟିମ୍ର କୋଚ୍ ଅଛନ୍ତି ।