ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ବାଇକ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ୍ କମିଶନରେଟ୍ ପୁଲିସ ହାତରେ ଧରାପଡ଼ିଛି । ଏହି ଗ୍ୟାଙ୍ଗ୍ର ୩ଜଣ ସଦସ୍ୟଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଥିବାବେଳେ ଜଣେ ଫେରାର୍ ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୋଠାସାହି ପାଞ୍ଚଗାଁର କାହ୍ନା ଓରଫ୍ ମନୋରଞ୍ଜନ ଚମ୍ପତି(୨୦), ଜଟଣୀ ଥାନା ଅନ୍ତର୍ଗତ ବେଲପଡ଼ାର ରାକୁ ଓରଫ୍ ରାକେଶ ସିଂହ(୨୦) ଓ ବେଗୁନିଆ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମର ସୁକାନ୍ତ ବେହେରା(୩୪) । ଏମାନଙ୍କ ଠାରୁ ୧୦ଟି ଚୋରା ବାଇକ୍ ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଏହି ଗ୍ୟାଙ୍ଗ୍ର ଫେରାର୍ ସଦସ୍ୟକୁ ଧରିବା ଲାଗି ଖଣ୍ଡଗିରି ଥାନା ପୁଲିସର ଏକ ଟିମ୍ ଚଢ଼ାଉ ଜାରି ରଖିଥିବା ଥାନାଧିକାରୀ ପଦ୍ମନାଭ ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଖଣ୍ଡଗିରି ଥାନା ସମେତ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ବାଇକ୍ ଚୋରି କରନ୍ତି । ପରେ ଏହାକୁ ନେଇ ନୟାଗଡ଼, ଖୋର୍ଦ୍ଧା, ଚନ୍ଦକା, ଏୟାରଫିଲ୍ଡ ଅଞ୍ଚଳରେ ଶସ୍ତାଦରରେ ବିକ୍ରି କରିଦିଅନ୍ତି । ଏହିକ୍ରମରେ ଗତ ମେ’ ୧୧ତାରିଖରେ ଗୋପୀନାଥ ମହାପାତ୍ର ନାମକ ଜଣେ ବ୍ୟକ୍ତି ଏମ୍ସ ହସ୍ପିଟାଲ ଯାଇଥିଲେ ।
ତାଙ୍କ ବୋହୂ ଚିକିତ୍ସିତ ହେଉଥିବା ସେ ହସ୍ପିଟାଲ କ୍ୟାମ୍ପସରେ ବାଇକ୍(ନାଲି-କଳାରଙ୍ଗର ପ୍ୟାସନ୍ ପ୍ଲସ୍)ପାର୍କିଂ କରି ଭିତରକୁ ଯାଇଥିଲେ। ସନ୍ଧ୍ୟା ସାଢ଼େ ୬ଟା ସମୟରେ ଫେରିବାବେଳକୁ ତାଙ୍କ ବାଇକ୍ କେହି ଚୋରି କରିନେଇଥିଲା । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ୩ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ବାଇକ୍ ସବୁ ଜବତ ହୋଇଛି ।