23.1 C
Bhubaneswar
Friday, November 22, 2024
Homeଓଡିଶାମାର୍ଚ୍ଚ ୫ରେ ପ୍ରଦର୍ଶିତ ହେବ ବିଜୁବାବୁଙ୍କ ଡାକୋଟା; ବିମାନବନ୍ଦର ଟର୍ମିନାଲ-୧ ସମ୍ମୁଖରେ ଚାଲିଛି ମରାମତି କାର୍ଯ୍ୟ

ମାର୍ଚ୍ଚ ୫ରେ ପ୍ରଦର୍ଶିତ ହେବ ବିଜୁବାବୁଙ୍କ ଡାକୋଟା; ବିମାନବନ୍ଦର ଟର୍ମିନାଲ-୧ ସମ୍ମୁଖରେ ଚାଲିଛି ମରାମତି କାର୍ଯ୍ୟ

ଭୁବନେଶ୍ୱର: କୋଲକାତା ବନ୍ଦରରୁ ଗତ ଜାନୁଆରୀ ତୃତୀୟ ସପ୍ତାହରେ ଆସିଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନଟି ବିଜୁ ପଟ୍ଟନାୟକ ଆନ୍ତର୍ଜାତୀକ ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ରଖାଯିବ । ସେଥିପାଇଁ ରାଜ୍ୟ ସରକାର ଲିଜ୍‌ରେ ୧.୧ ଏକର ଜମି ନେଇଛନ୍ତି । ଅଭିଜ୍ଞ ଇଞ୍ଜିନିୟରମାନେ ପୁରୁଣା ବିମାନଟିକୁ ଯୁଦ୍ଧକାଳୀନ ଭତ୍ତିରେ ମରାମତି କରୁଛନ୍ତି । ଆସନ୍ତା ମାର୍ଚ୍ଚ ୫ରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଡାକୋଟା ପ୍ରଦର୍ଶିତ ହେବ ବୋଲି ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି । ତେଣୁ ଓଡ଼ିଶାରେ ଲୋକଙ୍କ ମନରେ ଉତ୍ସାହ ଭରି ରହିଥିବା ଦେଖାଯାଉଛି । ବିଜୁ ବାବୁଙ୍କ ଅନେକ ସ୍ମୃତି ବହନ କରିଛି ଡାକୋଟା ।

୧୯୪୪ ଫେବ୍ରୁଆରୀ ମାସରେ ଡାକୋଟା ପ୍ରଥମ ଥର ଲାଗି ଉଡ଼ାଣ କରିଥିଲା । ବିଜୁ ବାବୁଙ୍କ ଦ୍ୱାରା ସ୍ଥାପିତ କଳିଙ୍ଗ ଏୟାର ଲାଇନସ୍ ଅଧୀନରେ ଚାଲୁଥିଲା ଡାକୋଟା ବିମାନ । ୧୯୫୩ରେ ଇଣ୍ଡିଆନ୍ ଏୟାର ଲାଇନ୍ସ ସହ କଳିଙ୍ଗ ଏୟାର ଲାଇନ୍ସ ମିଶି ଯାଇଥିଲା । ଏହି ସ୍ମୃତିକୁ ସାଉଣ୍ଟିବେ ସାଧାରଣ ଜନତା । ବିମାନଟି କୋଲକତା ବିମାନବନ୍ଦରରୁ ଭୁବନେଶ୍ୱରରେ ଗତ ଜାନୁଆରୀ ୧୮ରେ ପହଞ୍ôଚଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦର ଯାଇ ଡାକୋଟା ଉପରେ ପୁଷ୍ପ ବୃଷ୍ଟିକରି ସ୍ୱାଗତ କରିବା ସହ କହିଥିଲେ, ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ ଭୁବନେଶ୍ୱରରେ ପହଞ୍ଚି ଥିବାରୁ ସେ ବହୁତ ଖୁସି । ଏହି ବିମାନରେ ବିଜୁ ବାବୁ ଅନେକ ସାହସିକ କାର୍ଯ୍ୟ କରିଥିଲେ । ଏହା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ହେଉଛି ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମୀଙ୍କୁ ଡଚ୍‌ଙ୍କ କବ୍‌ଜାରୁ ମୁକ୍ତ କରିବାରେ ଅପାର ସଫଳତା ।

ସେଥିରେ ବିଜୁ ବାବୁଙ୍କ ସହିତ ତାଙ୍କ ମା’ ଜ୍ଞାନ ପଟ୍ଟନାୟକ ଥିଲେ ବୋଲି ନବୀନ ପ୍ରକାଶ କରିଥିଲେ । ୬୪ ଫୁଟ ୮ ଇଞ୍ଚ ଲମ୍ବ ଓ ୯୫ ଫୁଟର ଡେଣା ଥିବା ଡାକୋଟାର ଚଉଡ଼ା ୯୫ ଫୁଟ । ଏହି ବିରାଟକାୟ ବିମାନର ବିଭିନ୍ନ ଅଂଶକୁ ତିନୋଟି ଲରିରେ ସ୍ୱତନ୍ତ୍ର ବାକ୍ସ ଜରିଆରେ ଅତି ଯତ୍ନ ସହକାରେ ଭୁବନେଶ୍ୱରକୁ ଅଣାଯାଇଥିଲା । କୋଲକତା ବିମାନବନ୍ଦରରେ ଦୀର୍ଘ ଅର୍ଦ୍ଧ ଶତାଦ୍ଦୀ ଧରି ତାହା ପଡ଼ିରହିଥିଲା । ଓଡ଼ିଶାକୁ ଡାକୋଟା ଆଣିବା ପାଇଁ ରାଜ୍ୟ ସରକାର ଦୀର୍ଘ ବର୍ଷରୁ ଉଦ୍ୟମ ଆରମ୍ଭ କରିଥିଲେ ହେଁ ପରେ ସଫଳ ହୋଇଥିଲେ ।

କୋଲକାତା ବିମାନବନ୍ଦରରେ ଏକ ୧୦ ଜଣିଆ ଟିମ୍ ଦୀର୍ଘ ୧୪ ଦିନ ଧରି ବିମାନ ଖୋଲିବା କାର୍ଯ୍ୟରେ ନିମଗ୍ନ ଥିଲେ । ଏଥିରେ ଓଡ଼ିଶାର ଚାରି ଇଞ୍ଜିନିୟର ସଂପୃକ୍ତ ଥିଲେ । ଏରୋସ୍ପେସ୍ ରିସର୍ଚ୍ଚ ଡେଭ୍‌ଲପ୍‌ମେଣ୍ଟର ଯନ୍ତ୍ରୀ ଦେବାଶିଷ ମହାନ୍ତି, କରୁଣାକର ପଣ୍ଡା, ଚନ୍ଦନ କୁମାର ପଣ୍ଡିତ ଓ ହୃଷୀକେଶ ଜେନା ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking