ପାଟନା: ବିହାରର ଇଷ୍ଟ ଚମ୍ପାରନ ଜିଲ୍ଲାରେ କିଛିଦିନ ପୂର୍ବେ ଘଟିଥିବା ମଦମୃତ୍ୟୁ ଘଟଣାରେ ସୋମବାର ଆଉ ୪ ଜଣ ପ୍ରାଣ ହରାଇଥିବାବେଳେ ମୃତକଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି । ଏହାବ୍ୟତୀତ ମୋତିହାରି ସହରର ବିଭିନ୍ନ ଡାକ୍ତରଖାନାରେ ଆଉ ୨୦ ଜଣ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାରେ ୫ ଜଣ ଏସଏଚ୍ଓ (ଷ୍ଟେସନ ହାଉସ ଅଫିସର)ଙ୍କୁ ନିଲମ୍ବନ କରାଯାଇଛି ବୋଲି ଇଷ୍ଟ ଚମ୍ପାରନ ଏସ୍ପି ସୂଚନା ଦେଇଛନ୍ତି । ଏହାବ୍ୟତୀତ ୧୧ ଅନ୍ୟ ପୁଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ୮୦ ଜଣଙ୍କୁ ଗିରଫ କରିସାରିଛି ।
ମୋତିହାରି ସହରର ପ୍ରାୟ ୬୦୦ ସ୍ଥାନରେ ଚଢଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଏବଂ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଅପରପକ୍ଷରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଘୋଷଣା କରିଛନ୍ତି । ତେବେ କ୍ଷତିପୂରଣ ପ୍ରସଙ୍ଗରେ ନୀତୀଶ ଏକ ସର୍ତ୍ତ ରଖିଛନ୍ତି ।
କ୍ଷତିପୂରଣ ପାଇବାକୁ ହକ୍ଦାର ପରିବାର ଲୋକେ ଜିଲ୍ଲା ପ୍ରଶାସନକୁ ଲିଖିତଭାବେ ଜଣାଇବେ ଯେ ବିଷାକ୍ତ ମଦ ସେବନ କରିଥିବାରୁ ସେମାନଙ୍କର ଆତ୍ମୀୟ ପ୍ରାଣ ହରାଇଛନ୍ତି । ଏଥିସହିତ କେଉଁଠାରୁ ସେହି ବ୍ୟକ୍ତି ମଦ କିଣିଥିଲେ, ତାହା ମଧ୍ୟ ପ୍ରଶାସନକୁ ଜଣାଇବାକୁ ପଡିବ । ସୂଚନାଯୋଗ୍ୟ ବିହାର ସରକାର ୨୦୧୬ରୁ ରାଜ୍ୟରେ ମଦ ବିକ୍ରି ଓ ମଦ୍ୟପାନକୁ ସମ୍ପୂର୍ଣ୍ଣ ନିଷେଧ କରିଥିବା ସତ୍ତ୍ୱେ ବ୍ୟାପକ ଚୋରାମଦ କାରବାର ଜାରି ରହିଛି । ଏପର୍ଯ୍ୟନ୍ତ ଏକାଧିକ ମଦମୃତ୍ୟୁ ଘଟଣା ଘଟିଥିବାବେଳେ ଶତାଧିକ ଲୋକ ପ୍ରାଣ ହରାଇସାରିଲେଣି।