ପାଟନା : ଦେଶର ପ୍ରଥମ ରାଜ୍ୟଭାବେ ବିହାରରେ ଜାତିଭିତ୍ତିକ ଜନଗଣନା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଇଛି । ରିପୋର୍ଟ ଅନୁଯାୟୀ ରାଜ୍ୟରେ ପାଖାପାଖି ୮୦ ଲକ୍ଷ ଗ୍ରାଜୁଏଟ୍ ଡିଗ୍ରୀଧାରୀ (ମୋଟ ଜନସଂଖ୍ୟାର ୬.୧୧ ପ୍ରତିଶତ) ଥିବାବେଳେ ଏମାନଙ୍କ ମଧ୍ୟରେ ସାଧାରଣ ବର୍ଗର ୨୬,୯୫,୮୨୦ (୧୩.୪୧ ପ୍ରତିଶତ), ତଫସିଲଭୁକ୍ତ ଜାତିର ୭,୮୩,୦୫୦ (୩.୦୫ ପ୍ରତିଶତ) ଏବଂ ଓଆର୍ସି (ଅନ୍ୟ ରିପୋର୍ଟେଡ୍ କ୍ଲାସ୍)ର ୨୪,୫୩୪ ସାମିଲ ଅଛନ୍ତି । ରାଜ୍ୟରେ ମୋଟ ୧୦,୭୬,୭୦୦ ସ୍ନାତକୋତ୍ତର ଡିଗ୍ରୀଧାରୀ ଥିବାବେଳେ ସେମାନଙ୍କ ସଂଖ୍ୟା ଜନସଂଖ୍ୟାର ୦.୮୨ ପ୍ରତିଶତ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସମେତ ପିଏଚ୍ଡି ଡିଗ୍ରୀଧାରୀଙ୍କ ସଂଖ୍ୟା ୯୫,୩୯୮ (୦.୦୭ ପ୍ରତିଶତ) ଥିବାବେଳେ ୧୯,୨୨,୯୯,୯୭ ଜଣ (୧୪.୭୧ ପ୍ରତିଶତ) ଦଶମ ପାସ୍ କରିଛନ୍ତି । ୧୫ ଲକ୍ଷ ଲୋକଙ୍କ ନିକଟରେ ଇଣ୍ଟରନେଟ୍ ବ୍ୟବସ୍ଥା ସହ ଲାପ୍ଟପ୍ ଥିବାବେଳେ ସାଧାରଣ ବର୍ଗର ୬,୩୩,୮୬୪, ତଫସିଲଭୁକ୍ତ ଜାତିର ୯୫,୪୯୦ ଏବଂ ଓଆର୍ସି ବର୍ଗର ୧୦,୧୪୭ ଲୋକଙ୍କ ନିକଟରେ ନିଜସ୍ୱ ଲାପ୍ଟପ୍ ରହିଛି । ରିପୋର୍ଟ ଅନୁଯାୟୀ ୨୦,୪୯,୩୭୦ ଜଣ ସରକାରୀ କର୍ମଚାରୀ ହୋଇଥିବାବେଳେ ଗୃହିଣୀ ଓ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୮,୮୨,୯୧,୨୭୫ । ରାଜ୍ୟରେ ମୋଟ ୨,୧୮,୬୫,୬୩୪ ଜଣ ଶ୍ରମିକ ରହିଛନ୍ତି ।