ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତି ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଯେ କୌଣସି ସମୟରେ ଭାରତ ଅଣାଯାଇପାରିବ । ଗୁରୁବାର ଦିନ ବ୍ରିଟେନର ଏକ କୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଭାରତକୁ ପ୍ରତ୍ୟାର୍ପଣକୁ ଅନୁମୋଦନ କରିଛନ୍ତି। ଏହି ଆବେଦନକୁ ଅଗ୍ରାହ୍ୟ କରି କୋର୍ଟ କହିଛନ୍ତି ଯେ ଭାରତର ନ୍ୟାୟପାଳିକା ନିରପେକ୍ଷ । ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟର ବିଚାରପତି ସାମୁଏଲ ଗୋଜି ଏହି ରାୟ ଦେବାବେଳେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ନିରବ ମୋଦୀ କୁ ଭାରତରେ ଅନେକ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଭାରତରେ ପହଞ୍ଚିବା ପରେ ତାଙ୍କୁ ଦୋଷୀ ସାବ୍ୟସ୍ତ ହେବାର ପୁରା ସମ୍ଭାବନା ଅଛି । ସେ ଏହା ମଧ୍ୟ କହିଛନ୍ତି ଯେ ନିରବ ମୋଦୀ ଦେଇଥିବା ଅନେକ ବିବୃତ୍ତି ପରସ୍ପର ଭିତରେ ମେଳ ଖାଉ ନାହିଁ । ମାନସିକ ରୋଗ ନେଇ ନିରବ ମୋଦୀ ଦେଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସାକ୍ଷୀମାନଙ୍କୁ ଧମକ ଦେବା ପାଇଁ ଉଦ୍ୟମ କରାଯାଇଥିଲା। ଏହା ସହିତ କୋର୍ଟ ମଧ୍ୟ ଭାରତର ଜେଲର ଅବସ୍ଥାକୁ ନେଇ ସନ୍ତୁଷ୍ଟ ପ୍ରକାଶ କରିଥିଲେ। ତେବେ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟଙ୍କ କୋର୍ଟରେ ନିରବ ମୋଦୀଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଶେଷ ହୋଇଛି ।