28.1 C
Bhubaneswar
Thursday, March 5, 2026
Homeଓଡିଶାପାରାଦୀପ ପାଇଁ ବଡ଼ ଯୋଜନା: ପ୍ରତିଷ୍ଠା ହେବ ହାଇଜିନିକ୍ ମାଛ ବଜାର

ପାରାଦୀପ ପାଇଁ ବଡ଼ ଯୋଜନା: ପ୍ରତିଷ୍ଠା ହେବ ହାଇଜିନିକ୍ ମାଛ ବଜାର

ଭୁବନେଶ୍ବର: ପାରାଦୀପ ନିର୍ବାଚନ ମଣ୍ଡଳୀରେ ମାଛ ଚାଷୀ ଓ ଖାଉଟିଙ୍କ ସୁବିଧା ପାଇଁ ଏକ ଅତ୍ୟାଧୁନିକ ତଥା ସ୍ୱଚ୍ଛ ମାଛ ବଜାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ବାଇଁ। ପ୍ରକଳ୍ପ ପାଇଁ ହସ୍ତକ୍ଷେପ କରିବା ସହ ତୁରନ୍ତ ସମ୍ବଳ ଆବଣ୍ଟନ ପାଇଁ ସେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଅନୁରୋଧ କରିଛନ୍ତି। ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ନଦୀ ରହିଥିବା ବେଳେ ଏହା ବଙ୍ଗୋପସାଗର କୂଳରେ ଅବସ୍ଥିତ। ତେଣୁ ଏଠାରେ ପ୍ରଚୁର ପରିମାଣରେ ସାମୁଦ୍ରିକ ମାଛ ଉପଲବ୍ଧ ହୋଇଥାଏ। ଏହି ଅଞ୍ଚଳରେ ଜନସଂଖ୍ୟାର ଏକ ବଡ଼ ଭାଗ ମାଛ ଧରିବା ଓ ଏହାର ବ୍ୟବସାୟ ଉପରେ ନିର୍ଭର କରି ନିଜର ଗୁଜରାଣ ମେଣ୍ଟାଇଥାନ୍ତି। ଏହା ସହ ସ୍ଥାନୀୟ ଲୋକଙ୍କ ନିତିଦିନିଆ ଖାଇବାରେ ମାଛ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ତେବେ ବର୍ତ୍ତମାନ ପାରାଦୀପରେ ଥିବା ମାଛ ବଜାରଗୁଡ଼ିକର ସ୍ଥିତି ଅତ୍ୟନ୍ତ ଶୋଚନୀୟ। ସେଠାରେ ସ୍ୱଚ୍ଛତାର ଅଭାବ ରହିବା ସହ ଭିତ୍ତିଭୂମି ମଧ୍ୟ ଦୁର୍ବଳ ରହିଛି।

ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ମାଛର ଗୁଣବତ୍ତା ହ୍ରାସ ପାଉଛି, ଯାହା ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ତେଣୁ ଏକ ଆଧୁନିକ ସ୍ବଚ୍ଛ ମାଛ ବଜାର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବିତ ଆଧୁନିକ ମାଛ ବଜାରରେ ପରିମଳ ବ୍ୟବସ୍ଥା, ବରଫ ଭିତ୍ତିକ ସଂରକ୍ଷଣ, ଉନ୍ନତ ଭିତ୍ତିଭୂମି ଏବଂ ଶୀତଳ ଭଣ୍ଡାର ସୁବିଧା ଉପଲବ୍ଧ ରହିବ। ଏହିପରି ଆଧୁନିକ ବଜାର ପ୍ରତିଷ୍ଠା ହେଲେ ପରିବେଶ ଦୂଷିତ ହେବାର ଆଶଙ୍କା ହ୍ରାସ ପାଇବା ସହ ସତେଜ ମାଛ ଓ ସର୍ବୋଚ୍ଚ ସୁରକ୍ଷା ମାନ ସୁନିଶ୍ଚିତ କରାଯାଇପାରିବ। ଏହି ପ୍ରକଳ୍ପ ଦ୍ୱାରା ପାରାଦୀପ ଅଞ୍ଚଳର ମାଛ ବ୍ୟବସାୟରେ ବଡ଼ ପରିବର୍ତ୍ତନ ଆସିପାରିବ ଏହା କେବଳ ବ୍ୟବସାୟୀଙ୍କୁ ଲାଭବାନ କରିବ ନାହିଁ, ବରଂ ଗ୍ରାହକମାନେ ମଧ୍ୟ ଉଚ୍ଚ ମାନର ଓ ସ୍ୱାସ୍ଥ୍ୟକର ମାଛ ପାଇପାରିବେ। ଦୀର୍ଘ ଦିନ ଧରି ଅଞ୍ଚଳବାସୀ ଏନେଇ ଦାବି କରୁଥିବା ବେଳେ ଏହି ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ବାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ପତ୍ର ଲେଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking