20.1 C
Bhubaneswar
Monday, November 18, 2024
Homeଓଡିଶାବଡ଼ ମେଡିକାଲର ବଡ଼ ଅବ୍ୟବସ୍ଥା : ଟିକେଟ ପାଇଁ ଘଣ୍ଟା ଘଣ୍ଟା ଲାଇନ୍‌ରେ ରହୁଛନ୍ତି ରୋଗୀ

ବଡ଼ ମେଡିକାଲର ବଡ଼ ଅବ୍ୟବସ୍ଥା : ଟିକେଟ ପାଇଁ ଘଣ୍ଟା ଘଣ୍ଟା ଲାଇନ୍‌ରେ ରହୁଛନ୍ତି ରୋଗୀ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ (ଏମ୍‌କେସିଜି)ରେ ରୋଗୀଙ୍କ ପାଇଁ ଅନେକ କିଛି ବ୍ୟବସ୍ଥା ରହିଛି । କିନ୍ତୁ ସେହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ମାସ ମାସ ପରେ ମଧ୍ୟ ତାହା ସାଧାରଣ ଲୋକଙ୍କୁ ଅଜଣା ହୋଇ ରହିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ଏମ୍‌କେସିଜିରେ ବର୍ହିଃ ବିଭାଗ (ଓପିଡି) ନିମନ୍ତେ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ ହେଉଥିବା ଓପିଡି ଟିକେଟ୍ ବ୍ୟସସ୍ଥା । ମେଡିକାଲ ପକ୍ଷରୁ ଏହାକୁ ଘୋଷଣା କରି ଏକ ମାସରୁ ଉର୍ଦ୍ଧ୍ୱ ଦିନ ହୋଇଗଲାଣି, ହେଲେ ମେଡିକାଲକୁ ଆସୁଥିବା ମାତ୍ର ୭ ଶତକଡ଼ା ରୋଗୀ ଏହି ସେବାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

କିନ୍ତୁ ଏଥିରେ କେବଳ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଶତ ପ୍ରତିଶତ ଦାୟୀ ନୁହନ୍ତି । କିନ୍ତୁ ଏହି ସେବା କିଭଳି ଲୋକଙ୍କ ପାଖରେ ପହଞ୍ôଚବ ତାହାର ବ୍ୟବସ୍ଥା କରିବା ଆବଶ୍ୟକ ଥିବା ବେଳେ ମେଡ଼ିକାଲ ପକ୍ଷରୁ କୌଣସି ବ୍ୟବସ୍ଥା କରି ନଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ଏମ୍‌କେସିଜିରେ ଲୋକଙ୍କ ଚିକିତ୍ସା ନିମନ୍ତେ ବିଭିନ୍ନ ବର୍ହିଃ ବିଭାଗ ଥିବା ବେଳେ ପ୍ରତ୍ୟେକ ଦିନ ଚିକିତ୍ସା ନିମନ୍ତେ ହଜାର ହଜାର ରୋଗୀ ଆସିଥାନ୍ତି । ଯେକୌଣସି ବର୍ହିଃ ବିଭାଗରେ ଚିକିତ୍ସା କରିବାକୁ ହେଲେ ପ୍ରଥମେ ଓପିଡ଼ି ଟିକେଟ କରିବାର ଆବଶ୍ୟକ ରହିଛି । ଏଥି ନିମନ୍ତେ ମେଡିକାଲ ପକ୍ଷରୁ ୧୦ଟି ଟିକେଟ୍ କାଉଣ୍ଟରର ବ୍ୟବସ୍ଥା କରାଯାଇଛି ।

ସେଥି ମଧ୍ୟରୁ ୩ଟି ଲେଖାଏଁ ମହିକ ଓ ପୁରୁଷଙ୍କ ନିମନ୍ତେ ରହିଥିବା ବେଳେ ଏମ୍‌କେସିଜି କର୍ମଚାରୀ, ଭିନ୍ନକ୍ଷମ, ବରିଷ୍ଟ ନାଗରିକ ଓ ସେନା କର୍ମଚାରୀଙ୍କ ନିମନ୍ତେ ଗୋଟିଏ ଲେଖାଏଁ କାଉଣ୍ଟର ସଂରକ୍ଷଣ ରଖାଯାଇଛି । ଏହା ପରେ ମଧ୍ୟ କାଉଣ୍ଟର ସାମ୍ନାରେ ଓପିଡି ଟିକେଟ୍ ନିମନ୍ତେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହାକୁ ଦୂରକରିବା ସହ କରୋନା କଟକଣାକୁ ଦୃଷ୍ଟିରେ ରଖି ମେଡିକାଲ ପକ୍ଷରୁ ଗତ ଜାନୁଆରୀ ୨୧ ତରିଖରେ ଓପିଡି ଟିକେଟ୍ ପାଇଁ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ କରିବା ବ୍ୟବସ୍ଥା ହୋଇଥିଲା ।

ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟମାନେ ‘ମାଇଁ ଏମ୍‌କେସିଜି’ ୱେବ୍‌ସାଇଟ୍‌କୁ ଯାଇ ରୋଗୀଙ୍କ ନାମ, ବୟସ, ଠିକଣା, ପରିଚୟପତ୍ର ଓ କେଉଁ ବିଭାଗରେ ଚିକିତ୍ସା କରିବେ ତାହାର ତଥ୍ୟ ଦେଇ ଟିକେଟ୍ ପଞ୍ଜିକରଣ କରି ପାରିବେ । ଶେଷ ପର୍ଯ୍ୟାର ୧୨ ଅଙ୍କ ବିଶିଷ୍ଟ ଏକ ନମ୍ବର ପ୍ରାପ୍ତ ହେବେ । ଏହା ପରେ ଓପିଡି ଟିକେଟ କାଉଣ୍ଟର ନିକଟରେ ଥିବା ଏକ ସ୍ୱତନ୍ତ୍ର କାଉଣ୍ଟରରୁ ଉକ୍ତ ନମ୍ବର ଦେଖାଇ ନିଜର ଟିକେଟ୍ ନେଇପାରିବ ବ୍ୟବସ୍ଥା ରହିଛି । କିନ୍ତୁ ପ୍ରତ୍ୟେକ ଦିନ ମେଡ଼ିକାଲରେ ୨୬ ଶହ ଠାରୁ ୩ ହଜାର ପର୍ଯ୍ୟନ୍ତ ରୋଗୀ ଚିକିତ୍ସା ନିମନ୍ତେ ବର୍ହିଃ ବିଭାଗକୁ ଆସିଥାନ୍ତି । ଦୁଃଖର ବିଷୟ ଯେ ବର୍ତ୍ତମାନ ସେଥି ମଧ୍ୟରୁ ଦୈନିକ ମାତ୍ର ୧୫୦ରୁ ୨୦୦ ଟି ଓପିଡ଼ି ଟିକେଟ ଅନଲାଇନ୍ ମାଧ୍ୟମରେ ପଞ୍ଜିକରଣ ହୋଇଥାଏ । ପୂର୍ବରୁ ଦୈନିକ ମାତ୍ର ୨୦ରୁ ୩୦ଟି ଟକେଟ୍ ଏହି ୱେବ୍‌ସାଇଟ୍‌ରେ ପଞ୍ଜିକରଣ ହୋଇଥିବା ସୂଚନାମିଳିଛି । ଏହା ସହ ବିଭିନ୍ନ ସମୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ କାଉଣ୍ଟର ସାମ୍ନାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ ।

କହିବାକୁ ଗଲେ ମେଡିକାଲ ପକ୍ଷରୁ ରୋଗୀଙ୍କ ପାଇଁ ଘୋଷଣା ହୋଇଥିବା ସେବା ସାଧର ରୋଗୀଙ୍କ ନିମନ୍ତେ ଅଜଣା ହୋଇପଡ଼ିଛି । କାରଣ ରୋଗୀ ଓ ତାଙ୍କ ସମ୍ପର୍କୀୟମାନଙ୍କୁ ଏହି ବିଷୟରେ ଜଣାଇବା ନିମନ୍ତେ ବ୍ୟବସ୍ଥା ଥିଲେ ମଧ୍ୟ ତାହା ଦେଖିବାକୁ ମିଳି ନାହିଁ । ଯାହାଫଳରେ ଏଭଳି ଉତ୍ତମ ବ୍ୟବସ୍ଥା ବିଷୟରେ ଲୋକମାନେ ଜାଣି ପାରୁନାହାନ୍ତି । ଅନ୍ୟପକ୍ଷରେ ଏହି ବ୍ୟବସ୍ଥା କିଛି ଶିକ୍ଷିତ ଯୁବକ ଯୁବତୀମାନେ ଜାଣି ମଧ୍ୟ ଏହାକୁ ବ୍ୟବହାର କରୁନଥିବା ଦେଖିବାକୁ ମିଳିଛି । ଯଦି ମେଡିକାଲରେ ଥିବା ସହାୟକ କେନ୍ଦ୍ରର କିଛି କର୍ମଚାରୀଙ୍କ ଦ୍ୱାରା ଉକ୍ତ ଟିକେଟ୍ କାଉଣ୍ଟର ନିକଟରେ ଲାଇନ୍‌ରେ ଥିବା ବ୍ୟକ୍ତିମାନଙ୍କୁ ଏହ ସେବା ବିଷୟରେ ଅବଗତ କରନ୍ତି । ତେବେ ରୋଗୀମାନେ ଏହାର ବ୍ୟବହାର ସହ ସେବାର ଲାଭ ପାଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking