27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶଧସୁଥିବା ଜୋଶୀମଠକୁ ନେଇ ବଡ଼ ନିଷ୍ପତ୍ତି: ତୁରନ୍ତ ଖାଲିହେବ ଡେଞ୍ଜର୍ ଜୋନ୍‌

ଧସୁଥିବା ଜୋଶୀମଠକୁ ନେଇ ବଡ଼ ନିଷ୍ପତ୍ତି: ତୁରନ୍ତ ଖାଲିହେବ ଡେଞ୍ଜର୍ ଜୋନ୍‌

ଘରଭଡ଼ା ପାଇଁ ସରକାର ଦେବେ ଅର୍ଥ
ଡେରାଡୁନ୍ : ଉତ୍ତରାଖଣ୍ଡର ଜୋଶୀମଠରେ ଜମି ଧସିବା ଫଳରେ ଘରର କାନ୍ଥ ଫାଟି ଆଁ କରିଛି । କାନ୍ଥ ତଳୁ ପାଣି ବୋହୁଛି । କେତେକ ସ୍ଥାନରେ ଲ୍ୟାଣ୍ଡସ୍ଲାଇଡ୍ ଏବଂ କାନ୍ଥ ଫାଟିବା ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଯେଉଁମାନଙ୍କ ଘର କାନ୍ଥ ଫାଟିଯାଇଛି, ସେମାନେ ନିଜ ଘର ଛାଡ଼ି ପଳାୟନ କରୁଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଶୁକ୍ରବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏଥିରେ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ ସୁରକ୍ଷିତ ସ୍ଥାନରେ ଏକ ବଡ଼ ଅସ୍ଥାୟୀ ପୁନର୍ବାସ କେନ୍ଦ୍ର ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜୋଶୀମଠରେ ସେକ୍ଟର ଏବଂ ଜୋନାଲ୍ ୱାର୍ ଯୋଜନା ପ୍ରସ୍ତୁତ କରିବା, ତତ୍କାଳ ଡେଞ୍ଜର ଜୋନ୍ ଖାଲି କରିବା ସହିତ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷକୁ ସକ୍ରିୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ୬ ମାସ ପାଇଁ ପ୍ରଭାବିତ ପରିବାରଙ୍କୁ ଘରଭଡ଼ା ଅର୍ଥ ଦେବାକୁ ଘୋଷଣା କରିଛି । ଜଣେ ଅଧିକାରୀଙ୍କ ଅନୁସାରେ ଆଗାମୀ ୬ ମାସ ପାଇଁ ଭଡ଼ାଘରେ ରହିବା ପାଇଁ ପ୍ରତି ପରିବାରକୁ ୪ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । ଏହି ସହାୟତା ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍‌ରୁ ପ୍ରଦାନ କରାଯିବ । ସୂଚନାଯୋଗ୍ୟ, ଜମି ଧସିବା କାରଣରୁ ଜୋଷୀମଠ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୫୦୦ରୁ ଊର୍ଦ୍ଧ୍ୱ ଘରେ ଫାଟ ସୃଷ୍ଟି ହୋଇଛି ।

କେତେକ ପରିବାରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ କେତେକ ଘରଛାଡ଼ି ପଳାୟନ କରିଛନ୍ତି । ପୂରା ସହରବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ସ୍ପେଶାଲ୍ ଟିମ୍ ଘଟଣାର ସମୀକ୍ଷା କରିଛି । ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍ ଏବଂ ପୁଲିସ ସୁରକ୍ଷା ବଳକୁ ଆଲର୍ଟ ମୋଡ୍‌ରେ ରଖାଯାଇଛି। ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯାଇଥିବା ଜିଓଲଜିକାଲ୍ ଟିମ୍ ଓ ଡିଜାଷ୍ଟର ମ୍ୟାନେଜମେଣ୍ଟ୍ ଟିମ୍ କହିଛନ୍ତି ପ୍ରଶାସନର ଟିମ୍ ଲଗାତାର ନିରୀକ୍ଷଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ସେହିପରି ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିଆର୍‌ଓ ଦ୍ୱାରା ନିର୍ମିତ ହେଲଙ୍ଗ୍ ବାଇପାସ୍ ନିର୍ମାଣ କାର୍ଯ୍ୟ, ଏନ୍‌ଟିପିସିର ତପୋବନ ବିଷ୍ଣୁଗାଡ଼ ଜଳ ବିଦ୍ୟୁତ୍ ପରିଯୋଜନା ନିର୍ମାଣ କାର୍ଯ୍ୟ ଏବଂ ନଗରପାଳିକାର ନିର୍ମାଣ କାର୍ଯ୍ୟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ତତ୍କାଳ ପ୍ରଭାବରେ ବନ୍ଦ କରିଦେଇଛି । ଏହା ସହିତ ଜୋଶୀମଠ-ଓଲି ରୋପ୍‌ୱେ ସଞ୍ଚାଳନ ଉପରେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ରୋକ୍ ଲଗାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking