18.1 C
Bhubaneswar
Thursday, November 28, 2024
Homeଖେଳବିଏଫ୍‌ସିର ପ୍ରଥମ ବିଜୟ

ବିଏଫ୍‌ସିର ପ୍ରଥମ ବିଜୟ

ଗୋଆ : ଚଳିତ ଆଇଏସ୍‌ଏଲର ସପ୍ତମ ସଂସ୍କରଣରେ ଶୁକ୍ରବାର ଷୋଡ଼ଶ ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ବେଙ୍ଗାଲୁରୁ ଏଫ୍‌ସି (ବିଏଫ୍‌ସି) ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଚେନ୍ନାୟିନ୍ ଏଫ୍‌ସିକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି । ଦଳର ଅଧିନାୟକ ସୁନୀଲ ଛେତ୍ରୀ ଦ୍ୱିତୀୟାର୍ଦ୍ଧରେ ମିଳିଥିବା ପେନାଲ୍‌ଟି ଶଟ୍‌କୁ ଗୋଲ୍‌ରେ ପରିଣତ କରି ବିଏଫ୍‌ସିକୁ ପ୍ରଥମ ବିଜୟ ଦେଇଛନ୍ତି । ପୂର୍ବରୁ ବିଏଫ୍‌ସି ଦୁଇଟିଯାକ ମ୍ୟାଚ୍‌କୁ ଡ୍ର\’ କରିଥିବା ବେଳେ ଶୁକ୍ରବାର ମ୍ୟାଚ୍ ପରେ ପଏଣ୍ଟ୍ ଟେବଲର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ମ୍ୟାଚ୍‌ରେ ଦୁଇ ଦଳ ମଧ୍ୟରେ ବେଶ୍ ସଂଘର୍ଷ ହୋଇଥିଲା । ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଚେନ୍ନାୟିନ୍‌ର ଅନିରୁଦ୍ଧ ଥାପ୍ପା ବିଏଫ୍‌ସିର ଆଶିକ୍ କୁରୁନିୟାନ୍‌ଙ୍କ ଫାଉଲ୍‌ରେ ଆହତ ହୋଇଥିଲେ । ଦୁଇ ମିନିଟ୍ ପରେ କୁରୁନିୟାନ୍ ଚେନ୍ନାୟିନ୍‌ର ଦୀପକ ଟାଙ୍ଗ୍ରିଙ୍କୁ ଆଘାତ ଦେବାରୁ ରେଫରି ତାଙ୍କୁ ହଳଦିଆ କାର୍ଡ ଦେଖାଇଥିଲେ । ଏହାପରେ ଆଘାତ ପାଇଥିବା ଥାପ୍ପା ଷୋଡ଼ଶ ମିନିଟ୍‌ରେ ପଡ଼ିଆରୁ ବାହାରକୁ ଯାଇଥିଲେ ଓ ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଏଡୱିନ୍ ଭାନ୍ସପଲଙ୍କୁ ପଠାଇଥିଲେ କୋଚ୍ ସିବା ଲାଜଲୋ ।

ଥାପା ଯିବା ପରେ ବିଏଫ୍‌ସି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା । ୩୦ତମ ମିନିଟ୍‌ରେ କ୍ଲିଟନ୍ ସିଲ୍‌ଭାଙ୍କଠାରୁ ବଲ୍ ଛଡ଼ାଇ ବିଏଫ୍‌ସି ଖେଳାଳି ଭେକେ ହେଡର୍ ମାଧ୍ୟମରେ ଗୋଲ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ତାଙ୍କ ଶଟ୍ ଗୋଲପୋଷ୍ଟ୍ ବାହାରକୁ ଚାଲିଯାଇଥିଲା । ଏହାପରେ ଜୁଆନାନ୍ ସିଲଭାଙ୍କଠାରୁ ପାଇଥିବା ପାସ୍‌କୁ ଗୋଲପୋଷ୍ଟ୍ ଆଡ଼କୁ ମାରିଥିଲେ । କିନ୍ତୁ ତାହାକୁ ଚେନ୍ନାୟିନ୍ ଗୋଲକିପର୍ ବିଶାଲ କୈଥ୍ ସଂଗ୍ରହ କରିନେଇଥିଲେ । ଦ୍ୱିତୀୟାର୍ଦ୍ଧରେ ଫାଉଲ୍‌, ଫ୍ରିକିକ୍ ଓ ହଳଦିଆ କାର୍ଡର ବହୁଳ ବ୍ୟବହାର ହୋଇଥିଲା । ରାଫେଲ୍ କ୍ରିଭେଲାରୋ, ସୁରେଶ ୱାଙ୍ଗ୍‌ଜାମ୍ ଓ ରିଗାନ୍ ସିଂଙ୍କୁ ହଳଦିଆ କାର୍ଡ ଦେଖାଯାଇଥିଲା ।

ତେବେ ୫୪ତମ ମିନିଟ୍‌ରେ ଚେନ୍ନାୟିନ୍‌ର ଏକ ଫାଉଲ୍ ଘାତକ ସାବ୍ୟସ୍ତ ହୋଇଥିଲା । କାରଣ ରେଫରୀ ବିଏଫ୍‌ସିକୁ ପେନାଲ୍‌ଟି ଶଟ୍ ଦେଇଥିଲେ । ୫୬ତମ ମିନିଟରେ ଏହାକୁ ଗୋଲ୍‌ରେ ପରିଣତ କରି ଛେତ୍ରୀ ବିଏଫ୍‌ସିକୁ ୧-୦ରେ ଆଗୁଆ କରାଇଥିଲେ । ୬୦ତମ ମିନିଟ୍‌ରେ ଦଳ ପାଖରେ ଅଗ୍ରଣୀକୁ ଦ୍ୱିଗୁଣିତ କରିବାର ସୁଯୋଗ ରହିଥିଲା । ଡେଲଗାଡୋ ଏକ ଶକ୍ତିଶାଳୀ ଶଟ୍ ମାରିଥିଲେ ମଧ୍ୟ କୈଥ୍ ବଲ୍‌କୁ ବାହାରକୁ ପଠାଇଦେବାରେ ସକ୍ଷମ ହୋଇଥିଲେ । ଅନ୍ତିମ ପର୍ଯ୍ୟାୟ ଖେଳରେ ଚେନ୍ନାୟିନ୍ ପ୍ରଭାବ ବିସ୍ତାର କରିଥିଲେ ମଧ୍ୟ ସ୍ଥିତି ବରାବର କରି ନ ପାରିବାରୁ ବିଏଫ୍‌ସି ବିଜୟୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking