ନୂଆଦିଲ୍ଲୀ : ମୃତୁର କିଛି ସେକେଣ୍ଡ ପୂର୍ବରୁ ବ୍ୟକ୍ତି କ’ଣ ଅନୁଭବ କରେ? ଜୀବନ ଓ ମୃତ୍ୟୁ ମଧ୍ୟର ଶେଷ ମୁହୂର୍ତ୍ତ କେମିତି ହୋଇଥାଏ, ଏହା ବିଷୟରେ ବୈଜ୍ଞାନିକମାନେ ଦୀର୍ଘ ବର୍ଷ ଧରି ଅନ୍ୱେଷଣ କରୁଥିଲେ । ନିକଟରେ ଆମେରିକାର ଲୁଇସ୍ଭିଲ ୟୁନିଭର୍ସିଟିର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ମୃତ୍ୟୁର ୩୦ ସେକେଣ୍ଡ ପୂର୍ବରୁ ମସ୍ତିଷ୍କରେ ଏକ ଉଜ୍ଜ୍ୱଳ ଆଲୋକ ସୃଷ୍ଟି ହୋଇଥାଏ । ବୈଜ୍ଞାନିକମାନେ ଏହାକୁ ‘ଲାଷ୍ଟ ରିକଲ୍’ ଅର୍ଥାତ ଜୀବନର ଅନ୍ତିମ ସ୍ମୃତି ବୋଲି କହିଛନ୍ତି ।
ବୈଜ୍ଞାନିକମାନେ ଜଣେ ୮୭ ବର୍ଷୀୟ ବ୍ୟକ୍ତିଙ୍କ ମସ୍ତିଷ୍କ ସ୍କାନ୍ କରିଥିଲେ । ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ହୃଦ୍ଘାତ ଯୋଗୁ ମୃତ୍ୟୁ ହୋଇଥିଲା । ମସ୍ତିଷ୍କ ସ୍କାନ୍ରୁ ଜଣାପଡ଼ିଲା, ମୃତ୍ୟୁର ୩୦ ସେକେଣ୍ଡ ପୂର୍ବରୁ ତାଙ୍କ ମସ୍ତିଷ୍କରେ ଉଜ୍ଜ୍ୱଳ ଆଲୋକ ଦେଖାଗଲା, ଯାହାକୁ ସେ ନିଜେ ମଧ୍ୟ ଦେଖିଲେ । ମସ୍ତିଷ୍କରେ ରକ୍ତ ପ୍ରବାହ ଅଟକିଯିବାର କିଛି ମିନିଟ୍ ପରେ ମଧ୍ୟ ଏହି ପରିବର୍ତ୍ତନ ଜାରି ରହେ ।
ୟୁନିଭର୍ସିଟିର ଡା. ଅଜମଲ ଜେମର କହିଛନ୍ତି, ଗବେଷଣାରୁ ଜଣାପଡ଼ିଲା ଯେ ମାନବ ମସ୍ତିଷ୍କ ଅତ୍ୟନ୍ତ ଜଟିଳ । ଏହି ଗବେଷଣାରୁ ନ୍ୟୁରୋ ସାଇନ୍ସ କ୍ଷେତ୍ରକୁ ଯଥେଷ୍ଟ ସହାୟତା ମିଳିପାରିବ । ମସ୍ତିଷ୍କର କାର୍ଯ୍ୟକଳାପକୁ ବୁଝିବା ଦ୍ୱାରା ରୋଗୀଙ୍କ ଚିକିତ୍ସାର ନୂଆ ଉପାୟ ଆବିଷ୍କାର କରାଯାଇ ପାରିବ ।
ଗବେଷଣା ବିଷୟରେ ସସେକ୍ସ ୟୁନିଭର୍ସିଟିର ପ୍ରଫେସର ଅନିଲ ସେଠ କହିଛନ୍ତି, ଏହି ତଥ୍ୟ ଅତ୍ୟନ୍ତ ନିଆରା । ଏହା ଦ୍ୱାରା ମୃତ୍ୟୁର କିଛି ସମୟ ପୂର୍ବରୁ ମସ୍ତିଷ୍କରେ କ’ଣ ଚାଲେ, ସେ ବିଷୟରେ ଜଣାପଡ଼ିଛି । ଏହାକୁ ନେଇ ଅନେକ ବର୍ଷ ଧରି ବୈଜ୍ଞାନିକମାନେ ପ୍ରୟାସ ଚଳାଇଥିଲେ ।
ଡା. ଜେମରଙ୍କ ଅନୁସାରେ, ମୃତ୍ୟୁ ପୂର୍ବରୁ ମସ୍ତିଷ୍କରେ ତୀବ୍ର ଆଲୋକ ସୃଷ୍ଟି ହେବାର କାରଣ ହେଉଛି ଆଲ୍ଫା ଓ ଗାମାର ତରଙ୍ଗ । ରକ୍ତ ପ୍ରବାହ ଅଟକିବା ପରେ ଏହି ତରଙ୍ଗ କିଛି ସେକେଣ୍ଡ ପର୍ଯ୍ୟନ୍ତ ସକ୍ରିୟ ରହେ । ଏହାକୁ ନେଇ ଅଧିକ ଅଧ୍ୟୟନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।