ଲଣ୍ଡନ: ଇଂଲଣ୍ଡ ଫୁଟବଲ୍ ଟିମ୍ର ପୂର୍ବତନ ଅଧିନାୟକ ତଥା ଲିଜେଣ୍ଡ୍ ଫୁଟବଲର୍ ଡେଭିଡ୍ ବେକହାମ୍ ତାଙ୍କ ଅସୀମ ବଦାନ୍ୟତାର ପରିଚୟ ଦେଇଛନ୍ତି । ରୁଷିଆର କ୍ରମାଗତ ଆକ୍ରମଣରେ ୟୁକ୍ରେନ୍ର ପଶ୍ଚିମବର୍ତ୍ତୀ ସହର ଖାରକିଭ୍ ଧ୍ୱଂସସ୍ତୂପରେ ପରିଣତ ହୋଇଥିବା ବେଳେ ସେଠାରେ ଇରିନା ନାମ୍ନୀ ଜନୈକା ମହିଳା ପ୍ରସୂତୀ ବିଭାଗ ଡାକ୍ତର ବଙ୍କର ଭିତରେ ଆସନ୍ନପ୍ରସବା ମହିଳାମାନଙ୍କୁ ରଖି ସେମାନଙ୍କ ଚିକିତ୍ସା ଚଳାଇଛନ୍ତି । ଏହି ଡାକ୍ତର ଜଣକ ତାଙ୍କର ଏହି ମହାନ୍ କାର୍ଯ୍ୟରେ ଯେପରି କୌଣସି ଆର୍ଥିକ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିସକାଶେ ବେକହାମ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ତାଙ୍କୁ ଦାନ କରିଦେଇଛନ୍ତି । ଇରିନା ଓ ତାଙ୍କ ଟିମ୍ ଯୁଦ୍ଧର ପ୍ରଥମ ଦିନରୁ ଉଦ୍ଧାର ପାଇଆସିଥିବା ଆସନ୍ନାପ୍ରସବା ଓ ସଦ୍ୟ ଜନ୍ମିତ ଶିଶୁମାନଙ୍କର ଦେଖାଶୁଣା କରିଆସୁଛନ୍ତି । ସେଠାରେ ୟୁନିସେଫ୍ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅକ୍ସିଜେନ୍ ଜେନେରେଟର୍ ମାଧ୍ୟମରେ ନବଜାତ ଶିଶୁମାନଙ୍କର ଚିକିତ୍ସା କରାଯାଉଛି । ଏହି ଟିମ୍ର ଏପରି ଏକ ସେବାମୂଳକ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ସକାଶେ ବେକହାମ୍ ତାଙ୍କର୭୧.୬ ନିୟୁତ ଫଲୋୟର୍ସଙ୍କୁ ନିବେଦନ କରିଛନ୍ତି । ଇରିନା ଖାରକିଭ୍ର ରିଜିଓନାଲ୍ ପେରିନାଟାଲ୍ ସେଣ୍ଟର୍ର ମୁଖ୍ୟ ଅଛନ୍ତି । ଇରିନା ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କର ଏକାଧିକ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରିଛନ୍ତି । ଯୁଦ୍ଧତ୍ରସ୍ତ ଅଞ୍ଚଳରେ ଘନଘନ ଆକ୍ରମଣ ମଧ୍ୟରେ ନୂଆ ଜୀବନକୁ ଆହ୍ୱାନ କରିବା ସେମାନଙ୍କ ପାଇଁ ବେଶ୍ କଷ୍ଟସାଧ୍ୟ ଓ ଭୟାବହ ଥିଲେ ହେଁ ଏହି କାର୍ଯ୍ୟରୁ ସେମାନେ କଦାପି ପଛଘୁଞ୍ଚା ଦେବେ ନାହିଁ ବୋଲି ଇରିନାଙ୍କ ଟିମ୍ କହିଛନ୍ତି । ସୂଚନାଯୋଗ୍ୟ ଯେ ୪୬ ବର୍ଷର୍ୀୟ ବେକହାମ୍ ମାଞ୍ଚେଷ୍ଟର୍ ୟୁନାଇଟେଡ୍ ଓ ରିଅଲ୍ ମାଡ୍ରିଡର ପୂର୍ବତନ ଖେଳାଳି ହୋଇଥିବା ବେଳେ ଏବେ ଇଣ୍ଟର ମିଲାନ୍ ଟିମ୍ର ଅନ୍ୟତମ ମାଲିକ ଅଛନ୍ତି । ଏଥିସହ ଶିଶୁମାନଙ୍କ ପାଇଁ ଅନ୍ତର୍ଜାତୀୟ ସ୍ତରରେ କାମ କରୁଥିବା ୟୁନିସେଫ୍ ପାଇଁ ବେକହାମ୍ ଗୁଡୱିଲ୍ ଆମ୍ବାସାଡର୍ ଭାବେ କାର୍ଯ୍ୟ କରୁଛନ୍ତି ।