ଭୁବନେଶ୍ୱର: ଗାଡ଼ି ହର୍ଣ୍ଣ ନ ଶୁଣାଯିବାରୁ ଜଣେ ଯୁବକଙ୍କୁ ନିସ୍ତକ ମାଡ଼ । ଯୁବକ ପତ୍ନୀ ଘଟଣା ସ୍ଥଳରେ ପହଞ୍ଚିବାରୁ ତାଙ୍କ ଜୀବନ ବଞ୍ଚିଲା । ତେବେ ତଦନ୍ତରୁ ଜଣାପଡିଥିଲା ଏହା ପ୍ରକୃତ କାରଣ ନୁହେଁ । ବ୍ୟବସାୟୀକ ଶତ୍ରୃତା ଏବଂ ଅଫିସ ରୁମ୍କୁ କବଜ୍ଜା କରିବାକୁ କେନ୍ଦ୍ର କରି ଏଭଳି ବାହାନା ବନାଇ ସମ୍ପୃକ୍ତ ଯୁବକଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତମାନେ । ଏଭଳି ଘଟଣା ଘଟିଛି ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ । ଏହି ଅଭିଯୋରଗରେ ପୁଲିସ ଜଣଙ୍କୁ ସ୍ଥାନୀୟ ଅଞ୍ଚଳର ୪ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଗିରଫ ଅଭିଯୁକ୍ତମାନେ ହେଲେ ପ୍ରନ୍ସ କୁମାର ସାହୁ, ବିଟୁ କୁମାର, ସୁରଜ କୁମାର ଝା ଏବଂ ବିକାଶ କୁମାର ବୈରୀ ଗଞ୍ଜନ । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣକ ଆନିମେସନ କାର୍ଯ୍ୟ କରୁଥିବା ବେଳେ ଗତ ପାଞ୍ଚ ବର୍ଷ ହେବ ସତ୍ୟନଗର ଅଞ୍ଚଳରେ ଭଡାରେ ରୁହନ୍ତି ଏବଂ ସତ୍ୟନଗର କାଳିମନ୍ଦିର ରାସ୍ତାରେ ଥିବା ପ୍ଲଟ ନମ୍ବର ୬୫ରେ ତାଙ୍କର ଏକ କାର୍ଯ୍ୟାଳୟ ଅଛି । ଅଭିଯୁକ୍ତ ମାନେ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅଭିଯୋଗକାରୀଙ୍କ ଉକ୍ତ କାର୍ଯ୍ୟାଳୟକୁ ନିଜ ଅକ୍ତିଆରକୁ ଆଣିବା ଲାଗି ସର୍ବଦା ଚେଷ୍ଟା କରିଆସୁଥିଲେ ।
ଘଟଣା ଦିନ ସନ୍ଧ୍ୟାରେ ଅଭିଯୋଗକାରୀ ଜଣକ ନିଜ ମୋଟରସାଇକେଲକୁ କାର୍ଯ୍ୟାଳୟ ନିକଟରେ ପାର୍କିଂ କରି ତା ଉପରେ ବସିଥିଲେ । ଏହି ସମୟରେ ଅଭିଯୁକ୍ତମାନେ ଏକ କାର ନେଇ ସେଠାରେ ପହଞ୍ଚି ପଛ ପାଖରୁ ହର୍ଣ୍ଣ ବଜାଇ ଥିଲେ ।
ଅଭିଯୋଗକାରୀ ଜଣକ କୌଣସି ଏକ କାରଣ ବଶତଃ କାର ହର୍ଣ୍ଣ ଶୁଣିପାରିନଥିଲେ । ଏହାକୁ କେନ୍ଦ୍ର କରି ଅଭିଯୋଗକାରୀଙ୍କୁ ନିସ୍ତୁକ ମାଡ ମାରିବା ସହିତ ଅନ୍ୟ ସାଙ୍ଗ ମାନଙ୍କୁ ଘଟଣା ସ୍ଥଳକୁ ଡ଼ାକିଥିଲେ । ଅଭିଯୋଗକାରୀଙ୍କ ପତ୍ନୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବା ଦେଖି ଅଭିଯୁକ୍ତ ମାନେ ସେ ସ୍ଥାନ ଛାଡି ପଳାଇଯାଇଥିଲେ । ପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।