25.1 C
Bhubaneswar
Monday, October 21, 2024
Homeଖେଳବିସିସିଆଇ କେନ୍ଦ୍ରୀୟ ଚୁକ୍ତି; ଜେମିମା ଓ ରୀଚା ଉନ୍ନତି, ଶିଖା ଓ ତାନିୟା ବାଦ୍

ବିସିସିଆଇ କେନ୍ଦ୍ରୀୟ ଚୁକ୍ତି; ଜେମିମା ଓ ରୀଚା ଉନ୍ନତି, ଶିଖା ଓ ତାନିୟା ବାଦ୍

ମୁମ୍ବାଇ: ଗୁରୁବାର ବିସିସିଆଇ ପକ୍ଷରୁ ମହିଳା କ୍ରିକେଟର୍‌ମାନଙ୍କ ପାଇଁ ୨୦୨୨-୨୩ ସିଜନ୍ ସକାଶେ କେନ୍ଦ୍ରୀୟ ଚୁକ୍ତି ଘୋଷଣା କରାଯାଇଛି । ଏହି ଚୁକ୍ତିରେ ୱିକେଟ୍‌କିପର୍‌-ବ୍ୟାଟ୍ସଓମ୍ୟାନ୍ ରୀଚା ଘୋଷ ଓ ଜେମିମା ରଡରିଗ୍ସଙ୍କୁ ଉନ୍ନତି ମିଳିଥିବା ବେଳେ ପେସର୍ ଶିଖା ପାଣ୍ଡେ ଓ ୱିକେଟ୍‌କିପର୍‌-ବ୍ୟାଟ୍ସଓମ୍ୟାନ୍ ତାନିୟା ଭାଟିଆଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଏହି ଚୁକ୍ତି ଅବଧି ଗତ ଅକ୍ଟୋବରରୁ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିଲେ ହେଁ ଗୁରୁବାର ବିସିସିଆଇ ପକ୍ଷରୁ ଏହା ଘୋଷଣା କରାଯାଇଛି ।

ଏହି ଘୋଷଣା ଅନୁସାରେ, ୨୦୨୨-୨୩ ସିଜନ୍ ପାଇଁ କେନ୍ଦ୍ରୀୟ ଚୁକ୍ତିରେ ମୋଟ ୧୭ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ରୀଚା ଓ ଜେମିମା ବି’ କାଟାଗୋରିକୁ ଉନ୍ନୀତ ହୋଇଛନ୍ତି । ଗତ ସିଜନ୍‌ରେ ଏହି ଦୁଇ ଖେଳାଳି ସି’ କାଟାଗୋରିରେ ସ୍ଥାନ ପାଇଥିଲେ । ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଅନୁସାରେ, ଏ’ କାଟାଗୋରିରେ ସ୍ଥାନ ପାଇଥିବା ଖେଳାଳିମାନଙ୍କୁ ବାର୍ଷିକ ମ୍ୟାଚ୍ ଫି’ ବାଦ୍ ୫୦ ଲକ୍ଷ, ବି’ କାଟାଗୋରିର ଖେଳାଳିଙ୍କୁ ୩୦ ଲକ୍ଷ ଓ ସି’ କାଟାଗୋରିର ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିଥାଏ । ଏ’ କାଟାଗୋରିରେ ଅଧିନାୟିକା ହରମନ୍‌ପ୍ରୀତ୍‌, ତାରକା ଓପନର ସ୍ମୃତି ମନ୍ଧାନା ଓ ଅଲ୍‌ରାଉଣ୍ଡର୍ ଦୀପ୍ତି ଶର୍ମାଙ୍କୁ ରଖାଯାଇଛି । କିନ୍ତୁ ସ୍ପିନର୍ ରାଜେଶ୍ୱରୀ ଗାଏକ୍ୱାଡ୍ ବି’ କାଟାଗୋରିକୁ ଖସିଯାଇଛନ୍ତି ।

ସେହିପରି ଗତ ସିଜନ୍‌ରେ ଏ’ କାଟାଗୋରିରେ ସାମିଲ୍ ଥିବା ଲେଗ୍ ସ୍ପିନର୍ ପୂନମ୍ ଯାଦବଙ୍କୁ ଚୁକ୍ତିରୁ ବାଦ୍ ଦିଆଯାଇଛି । ପୂନମ୍ ଗତ ବର୍ଷ ମାର୍ଚ୍ଚରେ ଭାରତ ପକ୍ଷରୁ ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଏହାପରେ ଦଳକୁ ଫେରିବା ପାଇଁ ସଂଘର୍ଷ କରୁଥିବାରୁ ବିସିସିଆଇ ତାଙ୍କୁ କେନ୍ଦ୍ରୀୟ ଚୁକ୍ତିରୁ ହଟାଇ ଦେଇଛି । ତା’ଛଡ଼ା ଭେଟେରାନ୍ ପେସର୍ ଶିଖା ଚଳିତ ବର୍ଷ ପ୍ରାରମ୍ଭରେ ସାଉଥ୍ ଆଫ୍ରିକାରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ତାଙ୍କ ଉପରେ ମଧ୍ୟ ବିସିସିଆଇ ଭରସା ପ୍ରକଟ କରିପାରିନାହିଁ । ତାନିୟାଙ୍କୁ ମଧ୍ୟ ଚୁକ୍ତିରେ ସାମିଲ୍ କରିବା ବିପକ୍ଷରେ ବିସିିସିଆଇ ନିଷ୍ପତ୍ତି ନେଇଛି ।

ତେବେ କ୍ରମାଗତ ଉନ୍ନତ ପ୍ରଦର୍ଶନ କରିଆସିଥିବା ପେସର୍ ରେଣୁକା ଠାକୁର ଗତ ସିଜନ୍‌ରେ ଚୁକ୍ତିରେ ସାମିଲ୍ ନ ଥିଲେ ହେଁ ଚଳିତ ସିଜନ୍‌ରେ ତାଙ୍କୁ ବି’ କାଟାଗୋରିରେ ସ୍ଥାନ ମିଳିଛି । ନୂତନ ଭାବେ ଚୁକ୍ତିରେ ସାମିଲ୍ ହୋଇଥିବା କ୍ରିକେଟର୍‌ଙ୍କ ମଧ୍ୟରେ ପେସର୍ ମେଘନା ସିଂହ, ବ୍ୟାଟ୍ସଓମ୍ୟାନ୍ ଦେବିକା ବୈଦ୍ୟ, ଓପନର ଏସ. ମେଘନା, ସ୍ପିନର୍ ରାଧା ଯାଦବ, ବାମହାତୀ ପେସର୍ ଅଞ୍ଜଳି ସର୍ବାଣୀ ଓ ବ୍ୟାଟ୍ସଓମ୍ୟାନ୍ ୟାସ୍ତିକା ଭାଟିଆ ଅଛନ୍ତି । ଏହି ସମସ୍ତ ଖେଳାଳିଙ୍କୁ ସି’ କାଟାଗୋରିରେ ସ୍ଥାନ ଦିଆଯାଇଛି । ଅଲ୍‌ରାଉଣ୍ଡର୍ ପୂଜା ବସ୍ତ୍ରାକାରଙ୍କୁ ବି’ରୁ ସି’ କାଟାଗୋରିକୁ ଖସାଇ ଦିଆଯାଇଥିବା ବେଳେ ହର୍ଲିନ୍ ଦେଓଲ୍ ଓ ସ୍ନେହ ରାଣା ସି’ କାଟାଗୋରିରେ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking