ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଭାରତୀୟ ଟେଷ୍ଟ୍ ଖେଳାଳିଙ୍କ ପାଇଁ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛି । ଏହି ଯୋଜନା ଅନୁସାରେ ଗୋଟିଏ ସିଜନ୍ରେ ୭୫% ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ମ୍ୟାଚ୍ ଫି’ ୧୫ ଲକ୍ଷ ବ୍ୟତୀତ ମ୍ୟାଚ୍ ପିଛା ଅତିରିକ୍ତ ୪୫ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ସେହିପରି ୫୦%ରୁ ୭୪% ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ୩୦ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ତେବେ ୫୦%ରୁ କମ୍ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କୁ ଏହି ରାଶି ମିଳିବ ନାହିଁ । ଚୂଡ଼ାନ୍ତ ଏକାଦଶରେ ସାମିଲ ନଥିବା ଖେଳାଳିଙ୍କୁ ଅତିରିକ୍ତ ଭାବେ ୨୨.୫ ଲକ୍ଷ ଟଙ୍କା ମିଳିବ ।
ଏହି ଯୋଜନା ୨୦୨୨-୨୩ରୁ ପିଛିଲା ଭାବେ ଲାଗୁ କରାଯିବ । ଏଥିପାଇଁ ବୋର୍ଡ ପ୍ରତି ସିଜନ୍ ପାଇଁ ୪୦ କୋଟି ଟଙ୍କାର ବ୍ୟୟ ବରାଦ କରିଛି । ଧର୍ମଶାଳା ଟେଷ୍ଟ୍ରେ ଭାରତର ଐତିହାସିକ ବିଜୟ ପରେ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ପକ୍ଷରୁ ଶନିବାର ଏହି ଘୋଷଣା କରାଯାଇଛି । ଖେଳାଳିମାନଙ୍କୁ ଟେଷ୍ଟ କ୍ରିକେଟ୍ ପ୍ରତି ଅଧିକ ଆକର୍ଷିତ କରିବା ନିମନ୍ତେ ବିସିସିଆଇ ଏପରି ପ୍ରୋତ୍ସାହନ ସ୍କିମ୍ ଘୋଷଣା କରିଛି । ଟେଷ୍ଟ ଟିମ୍କୁ ସେତେବେଳେ ଜଣେ ଖେଳାଳି ଆସିବେ ଯେତେବେଳେ ସେ ରଣଜୀ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରିବେ । ତେଣୁ ପରୋକ୍ଷରେ ବିସିସିଆଇ କ୍ରିକେଟର୍ମାନଙ୍କୁ ରଣଜୀ ଟ୍ରଫି ଖେଳିବାକୁ ସଙ୍କେତ ଦେଇଛି ।