ଢ଼ାକା: ବାଂଲାଦେଶରେ ହସିନା ସରକାରର ପତନ ପରେ ଗଠିତ ହୋଇଛି ମଧ୍ୟବର୍ତ୍ତୀକାଳୀନ ସରକାର । ନୋବେଲ ପୁରସ୍କାର ବିଜେତା ଡଃ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏହି ଆଭ୍ୟନ୍ତରୀଣ ସରକାର ଗଠନ ହୋଇଛି । ତଥାପି ଦେଶରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠିଛି । କାରଣ ନୂଆ ସରକାରରେ ରାଷ୍ଟ୍ରର ଯୁଦ୍ଧ ସ୍ମାରକୀକୁ ଭଙ୍ଗାଯାଉଛି । ଏହି ସ୍ମାରକୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ଓ ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରେହମାନଙ୍କ ଯୋଗଦାନର ପ୍ରମାଣ । ବାଂଲାଦେଶ ଢାକା ସ୍ଥିତ ମୁକ୍ତି ଯୁଦ୍ଧ ମ୍ୟୁଜିଅମରେ ମୁକ୍ତି ଯୁଦ୍ଧର ଫଟୋଚିତ୍ର ରହିଛି । ଏଥିରେ ଶେଖ ମୁଜିବୁର ରେହମାନ ଓ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଫଟୋ ମଧ୍ୟ ରହିଛି ।
ମ୍ୟୁଜିଅମର ୱେବସାଇଟ ହୋମପେଜରେ ଶେଖ ମୁଜିବୁର ରେହମାନଙ୍କ ଏକ ଲେଖା ଗ୍ରେଟ ଥିଙ୍ଗସ ଆର୍ର୍ ଆଚିଭିଡ୍ ଥ୍ରୋ ଗ୍ରେଟ ସାକ୍ରିଫାଇସ\’ ଉଲ୍ଲେଖ ରହିଛି । ଅର୍ଥାତ ବଡ଼ ବଳିଦାନ ମାଧ୍ୟମରେ ବଡ଼ ସଫଳତା ହାସଲ କରାଯାଇଥାଏ । ସଂଗ୍ରହାଳୟ ହେଉଛି ଏକ ପ୍ରମୁଖ ଅନୁଷ୍ଠାନ ଯାହା ମୁକ୍ତି ଯୁଦ୍ଧ ସମୟରେ ଭାରତ-ବାଂଲାଦେଶର ସୌହାର୍ଦ୍ଦ୍ୟର କାହାଣୀକୁ ପରବର୍ତ୍ତୀ ପିଢିକୁ ଜଣାଇବାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛି । ଛାତ୍ର ଏବଂ ପର୍ଯ୍ୟଟକମାନେ ସଂଗ୍ରହାଳୟକୁ ଯାଇ ବିଭିନ୍ନ ଫଟୋଚିତ୍ର ଦେଖନ୍ତି, ଯେଉଁଥିରେ ଯୁଦ୍ଧ ସମୟରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ବିରୋଧରେ ପାକିସ୍ତାନୀ ସେନାର ଅତ୍ୟାଚାର ଦର୍ଶାଯାଇଛି । ସେହି ସମୟରେ ପଶ୍ଚିମ ପାକିସ୍ତାନର ନିୟନ୍ତ୍ରଣ ବିରୁଦ୍ଧରେ ବିଦ୍ରୋହକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଫଟୋଗୁଡ଼ିକରେ ଭାରତର ବନ୍ଧୁତ୍ୱପୂର୍ଣ୍ଣ ଆଭିମୁଖ୍ୟକୁ ମଧ୍ୟ ଦର୍ଶାଯାଇଛି ।
ପଶ୍ଚିମ ପାକିସ୍ତାନରୁ ବାଂଲାଦେଶର ସ୍ୱାଧୀନତା ପାଇଁ ଏହା ଭାରତର ଦୃଢ ସମର୍ଥନକୁ ମଧ୍ୟ ଦର୍ଶାଉଛି । ଏହି ସଂଗ୍ରହାଳୟର ସେଲୁଲଏଡ୍ ଡିସପ୍ଲେରେ ଭବିଷ୍ୟତ ପିଢି ପାଇଁ ବାଂଲାଦେଶ ସ୍ୱାଧୀନତା ସଂଗ୍ରାମରେ ଭାରତର ଅବଦାନ ବିଷୟରେ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରାଯାଇଛି । ଭାରତ କିପରି ବାଂଲାଦେଶକୁ ଅତୁଟ ସମର୍ଥନ କରିଥିଲା ତାହା ଉଲ୍ଲେଖ ରହିଛି । ଏ ନେଇ ଏକ କାହାଣୀ ମଧ୍ୟ ଉଲ୍ଲେଖ ରହିଛି, ଯାହାକୁ ପଢି ଆଗାମୀ ପିଢି ବନ୍ଧୁରାଷ୍ଟ୍ର ଭାରତ ସମ୍ପର୍କରେ ଅବଗତ ହୋଇପାରିବେ । ଏହାରି ମଧ୍ୟରେ ଢାକା ମଧ୍ୟ ଭିନ୍ନ ରାସ୍ତା ଆପଣେଇପାରେ ।
ଯାହାକି ଭାରତ ପାଇଁ ଅନୁକୂଳ ରହିବ ନାହିଁ । ଚୀନର ପ୍ରଭାବ ମଧ୍ୟ ପଡ଼ିପାରେ । ବାଂଲାଦେଶର ନୂଆ ପିଢି ନିଜର ଇତିହାସ ଭୁଲି ବିରୋଧ ପ୍ରଦର୍ଶନ ବେଳେ କାନ୍ଥବାଡ଼ରେ ଯାହା ଲେଖାୟାଇଛି ତାକୁ ମନେ ରଖିବେ । ପଶ୍ଚିମ ପାକିସ୍ତାନ ସେନା ବିରୋଧରେ ଲଢେଇରେ ଭାରତ ସହାୟତା ପ୍ରଦାନ କରିଥିଲା । ଭାରତର ଅବଦାନର ପ୍ରତୀକ ସ୍ମୃତିକୁ ହଟାଇବା ଏବଂ ମୁକ୍ତି ସଂଗ୍ରାମର ପ୍ରତୀକଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ହେଉଛି ନୂଆ ପିଢିଙ୍କ ପରିଭାଷା । ଶ୍ରୀଲଙ୍କା ପରେ ବାଂଲାଦେଶ ଏସିଆର ଦ୍ୱିତୀୟ ଦେଶ ହୋଇଛି, ଯେଉଁଠାରେ ଶାସକ ଦଳର ପରିବାରକୁ ଦେଶ ଛାଡି ପଳାୟନ କରିବାକୁ ପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିନ୍ଦୁଙ୍କୁ ସୁରକ୍ଷା ଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସହ କଥା ହେବା ପରେ ବାଂଲାଦେଶରେ ପରିସ୍ଥିତି କିପରି ଦେଖାଯାଉଛି ତାହା ଦେଖିବା ବେଶ ରୋଚକପୂର୍ଣ୍ଣ ହେବ ।