ଢ଼େଙ୍କାନାଳ : କରୋନାକୁ ନେଇ ସାରା ଦେଶରେ ଲକ୍ ଡାଉନ୍ । ଅତି ଜରୁରୀ ନଥିଲେ ଘରୁ ବାହାରିବା ମନା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଏହି ଲକ୍ ଡାଉନ୍ ସମୟରେ ପ୍ରଭାବିତ ହୋଇଛି ଅଧିକାଂଶଙ୍କ ଜୀବନ ଜୀବିକା । ଅନ୍ୟ ସମସ୍ତ ଜୀବିକା ଏକ ପ୍ରକାର ପ୍ରଭାବିତ ହୋଇଥିବା ବେଳେ ବାଉଁଶ କାରିଗର ବି ହରାଇଛନ୍ତି ରୋଜଗାର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଖଣ୍ଡବନ୍ଧ ଗାଁ। ଏଠାରେ ବସବାସ କରୁଛନ୍ତି ପ୍ରାୟ ୨୦ରୁ ଅଧିକ ବାଉଁଶ କାରିଗର ପରିବାର । ବାଉଁଶରେ କୁଲା, ଡଲା, ବିଞ୍ଚଣା, ଗାଣ୍ଡୁଆ, ଟୋକେଇ ଆଦି ବିଭିନ୍ନ ଜିନିଷ କରି ତାକୁ ବିକି ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବରୁ ବାଉଁଶ ନିର୍ମିତ ସାମଗ୍ରୀର ଚାହିଦା ଏକ ପ୍ରକାର କମି ଯାଇଥିବା ବେଳେ ଲକ୍ ଡାଉନ୍ ଜାରି ଜାରି ହେବା ଦିନଠାରୁ ଏମାନଙ୍କ ଦୁଃଖ ଦୁଇଗୁଣା ହୋଇଯାଇଛି। ଦୋକାନ ବଜାର ହାଟ ସବୁକିଛି ବନ୍ଦ। କୌଣସି ଗାଁକୁ ଯାଇ ବୁଲି ବିକ୍ରି ମଧ୍ୟ କରିପାରୁ ନାହାନ୍ତି। ଫଳରେ ଯାହା ତିଆରି ସେସବୁ ସେମିତି ପଡ଼ିରହିଛି। ଏବେ ଲକ୍ ଡାଉନ୍ ଯୋଗୁଁ ଘରେ ଦିନ କୁ ଦୁଇ ଓଳି ଚୁଲି ଜଳିବା ବି କଷ୍ଟ ହୋଇ ପଡ଼ିଛି ।