ବାଲିଗୁଡା : ବୟସ ୧୪ ବର୍ଷ । କିନ୍ତୁ ଦିନକୁ ଦିନ ଅସ୍ୱାଭାବିକ ଭାବେ ବଢିବାରେ ଲାଗିଛି ପେଟ । ଚିକିତ୍ସା ହୋଇ ପାରୁନାହିଁ । ଅର୍ଥ ସାଜିଛି ପରିବାର ପାଇଁ ବାଧକ । ପରିବାର କହିଲେ ବିଧବା ମା’ । ମୂଲ ଲାଗିଲେ ପରିବାର ଚଳେ । ଏଭଳି ସ୍ଥଳେ ପୁଅର ଚିକିତ୍ସା କରାଇବା ମଧ୍ୟ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ । ପୁଅର ଅସୁସ୍ଥତା ନେଇ କାହାକୁ ଗୁହାରି କରିବେ ସେ ସଂପୂର୍ଣ୍ଣ ଅଜ୍ଞ । ଅର୍ଥଭାବରୁ ସେ ଭାଗ୍ୟକୁ ନିନ୍ଦି କେବଳ ଆଖିରୁ ଲୁହ ଝରାଇବା ସାର୍ ହୋଇଛି ।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଜକିକିଆ ଗ୍ରାମର ସ୍ୱର୍ଗତ ପ୍ରଶାନ୍ତ ମଲିକ ଓ ସାଉଁଟି ମଲିକଙ୍କ ୧୩ ବର୍ଷର ପୁଅ ରାହୁଲର ଗତ ୪ ବର୍ଷ ହେଲା ଅସ୍ୱାଭାବିକ ଭାବେ ପେଟ ବୃଦ୍ଧି ପାଉଛି । ପେଟ ଓଜନ ଯୋଗୁଁ ରାହୁଲ କିଛି କରିପାରୁନାହିଁ । ଗତ ୪ ବର୍ଷ ହେଲା ବିଦ୍ୟାଳୟରେ ପଡ଼ିଛି ଡୋରି । ପରଘରେ କାମକରି ଓ ନିଜ ସମ୍ପର୍କୀୟମାନଙ୍କ ଠାରୁ କିଛି ଧାରଉଧାର କରି ଗତ ଦିନରେ ବାଲିଗୁଡ଼ା ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ଚିକିତ୍ସା ପାଇଁ ବଡ଼ ମେଡ଼ିକାଲ ଯିବାକୁ ଡାକ୍ତର ଦେଇଥିଲେ ପରାମର୍ଶ । ତେବେ ଅର୍ଥ ଅଭାବରୁ ସେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିଲେ ନାହିଁ । ସେହିଦିନ ଠାରୁ ସେ ଦେଶୀୟ ପଦ୍ଧତିରେ ଚିକିତ୍ସାକୁ ଆପଣେଇଛନ୍ତି ବୋଲି ମା’ ସାଉଁଟି କହିଛନ୍ତି । ଗତ ୩ ବର୍ଷ ତଳେ ରାହୁଲର ବାପା ଏକ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ବାପା ଆରପାରିକୁ ଚାଲିଯିବା ପରେ ବିଧବା ମା’ ଉପରେ ପରିବାର ବୋଝ ।
ଗୋଟିଏ ମାତ୍ର ପୁଅ ରାହୁଲ ସହିତ ଗୋଟିଏ ଝିଅକୁ ନେଇ ବର୍ତ୍ତମାନ ତାଙ୍କର ପରିବାର । ଯେଉଁ ମୂଲ କାମ କରିଥା’ନ୍ତି ସେଥିରେ ପରିବାର ଚଳାଇବା କଷ୍ଟକର ହେଉଥିବା ବେଳେ ଏପଟେ ପୁଅର ଚିକିତ୍ସା ପାଇଁ ଅର୍ଥ ତାଙ୍କୁ ଚିନ୍ତାରେ ପକାଇଛି । ପୁଅର ଚିକିତ୍ସା ଓ ଝିଅର ପଢ଼ାଖର୍ଚ୍ଚ ଗତ ଦିନରେ ଗ୍ରମାବାସୀ କିଛି ସହାୟତା କରିଥିଲେ । ବର୍ତ୍ତମାନ ପରିସ୍ଥିତିରେ ସେ କାହା ପାଖକୁ ଯିବେ ଓ କିଭଳି ଭାବେ ସହଯୋଗ ପାଇବେ ସେ ଚିନ୍ତାରେ ଥିବାବେଳେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏଥିରେ ହସ୍ତକ୍ଷେପ କରି ସହଯୋଗର ହାତ ବଢାଇବାକୁ ଅନେକ ନିବେଦନ କରିଛନ୍ତି ।