18.1 C
Bhubaneswar
Monday, November 25, 2024
Homeଓଡିଶାକେନ୍ଦୁଆ ବାସୀଙ୍କ ଦୁଃଖ ବୁଝିବ କିଏ

କେନ୍ଦୁଆ ବାସୀଙ୍କ ଦୁଃଖ ବୁଝିବ କିଏ

ବାଲେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ବେଶିଙ୍ଗା ଥାନା ଅଧୀନ କେନ୍ଦୁଆ ପଞ୍ଚାୟତର କେନ୍ଦୁଆ ଗ୍ରାମବାସୀଙ୍କ ଭାଗ୍ୟ ଯଥା ପୂର୍ବଂ ତଥା ପରଂ । କେନ୍ଦୁଆ ଗ୍ରାମର ଅଧିବାସୀମାନଙ୍କର ମୁଣ୍ଡ ଗୁଞ୍ଜିବାକୁ ନିଜସ୍ୱ ଜାଗା ଖଣ୍ଡେ ନାହିଁ, ମୁଣ୍ଡ ଉପରେ ସ୍ଥାୟୀ ଛପରଟିଏ ବି ନାହିଁ । ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଯେତେବେଳେ ଆସେ ଏହି ଗ୍ରାମର ଅଧିବାସୀମାନେ ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦୁଆର ସୁଣ୍ଡି ପିଣ୍ଡା ହୁଅନ୍ତି। ସରକାରଙ୍କର ମାଳମାଳ ଯୋଜନା ମଧ୍ୟରେ ମୁଖ୍ୟତଃ ପଟ୍ଟା ଯୋଜନା, ବିଜୁ ପକ୍କା ଘର ଯୋଜନା, ପାଣି ଯୋଜନା ସବୁ ଯେପରି ବାଟବଣା ହୋଇଯାଇଛି ଏହି ଗ୍ରାମ ପାଇଁ । ଜମି ପଟ୍ଟାଟିଏ ପାଇଁ ବର୍ଷବର୍ଷ ଧରି ଆଉ କେତେବର୍ଷ ଅପେକ୍ଷା କରିବାପାଇଁ ପଡିବ ଏହି କେନ୍ଦୁଆ ଗ୍ରାମବାସୀଙ୍କୁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଏହି ଗ୍ରାମରେ ବର୍ଷ ବର୍ଷ ଧରି ଭଙ୍ଗା ଦଦରା ଘରେ ରହୁଥିବା ସୁଷମା ବେହେରା, ଶ୍ୟାମସୁନ୍ଦର ବେହେରା, ସୋମନାଥ ଦଣ୍ଡପାଟ, ଜାନକୀ ଜେନା, ଜଗଦିଶ ଦଣ୍ଡପାଟ, ଅନନ୍ତ ବେହେରା, ବୀଣା ବେହେରା, ସୁଧିର ବେହେରା ଓ ତ୍ରିନାଥ ବେହେରାଙ୍କ ପରି ଅନେକ ପରିବାର ନିଜ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି । ସରକାରୀ ଗୋଚର ଜାଗାରେ ଭଙ୍ଗା ଦଦରା ଘର ଖଣ୍ଡିକ କରି ରହିଥିବାରୁ ଗତ ବାତ୍ୟାରେ ସେମାନଙ୍କୁ ଖଣ୍ଡିଏ ପଲିଥିନ ମିଳିଲା ନାହିଁ । ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର ସେମାନଙ୍କ ଦୁଃଖରେ ଦୁଃଖୀ ହୋଇ ଶୁଖିଲା ବିସ୍କୁଟ ଆଦି ବାଣ୍ଟିଲେ । ମାତ୍ର ସରକାରଙ୍କ ତରଫରୁ ଖଣ୍ଡିଏ ପଲିଥିନ ମଧ୍ୟ ମିଳିଲାନି । ଯୋଗ୍ୟ ହିତାଧିକାରୀଟିଏ ସରକାରୀ ଯୋଜନା ପାଉନଥିବା ବେଳେ ଧନୀ ଅଯୋଗ୍ୟମାନେ ଅନେକ ସରକାରୀ ଯୋଜନା ହାତେଇଥିବା ନଜିର୍ ରହିଛି । ତେବେ ସରକାରଙ୍କ ତରଫରୁ ଏହି ଅସହାୟ ଭୂମିହୀନ ପରିବାରମାନଙ୍କୁ ପଟ୍ଟା ଓ ଘର ଯୋଗାଇଦେବା ପାଇଁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking