ନୂଆଦିଲ୍ଲୀ: ଚଳିତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍ରେ ଭାରତକୁ ନେଇ ପୂର୍ବତନ ବିଶ୍ୱବିଜୟୀ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମୁହଁ ଖୋଲିଛନ୍ତି । ଭାରତର ବିଜୟ ସମ୍ଭାବନାକୁ ନେଇ ସେ କହିଛନ୍ତି କି, ଏହା ବହୁତ ଭଲ ଦଳ । ଦଳର ସନ୍ତୁଳନ ଅତ୍ୟନ୍ତ ଭଲ ରହିଛି । ସବୁ ଖେଳାଳି ଭଲ ଖେଳୁଛନ୍ତି । ତେଣୁ ସବୁକିଛି ବେଶ୍ ସୁନ୍ଦର ଦିଶୁଛି । ଏହାଠାରୁ ଅଧିକ ମୁଁ ଆଉ କିଛି କହିବି ନାହିଁ । ବୁଦ୍ଧିମାନଙ୍କ ପାଇଁ ସଙ୍କେତ ହିଁ ଯଥେଷ୍ଟ ବୋଲି ଏକ କାର୍ଯ୍ୟକ୍ରମରେ ଧୋନି କହିଛନ୍ତି ।
ଅନେକ ସମୟରେ କୁହାଯାଏ ଯେ ୨୦୧୧ ଭାରତୀୟ ଦଳ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପାଇଁ ବିଶ୍ୱକପ୍ ଜିତିବାକୁ ଚାହୁଁଥିଲା । ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଭାବୁଛନ୍ତି ଯେ ଏଥର ବିରାଟ କୋହଲିଙ୍କ ପାଇଁ ଏପରି ହେବ କି ନାହିଁ । କିନ୍ତୁ ଏହା ଭୁଲ । ହରଭଜନ ସିଂଙ୍କ ଏକ ମନ୍ତବ୍ୟ ନେଇ ଧୋନି ଏପରି କହିଥିଲେ । ନିକଟରେ ଇଣ୍ଡିଆ ଟୁଡେରେ ଏକ ଚାଟ୍ କାର୍ଯ୍ୟକ୍ରମରେ ହରଭଜନ ସିଂହ କହିଥିଲେ ଯେ, ତାଙ୍କୁ ଲାଗୁନି ୨୦୨୩ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ ୨୦୧୧ ବିଶ୍ୱକପ୍ ଟିମ୍ ଭଳି ଏକଜୁଟ ଅଛି । ଉଭୟ ଦଳ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଛି ।
୨୦୧୧ ବିଶ୍ୱକପ୍ ବିଜେତା ଭାରତୀୟ ଦଳ ଅଧିକ ଏକଜୁଟ ଥିଲା । ସେମାନେ ସଚିନଙ୍କ ପାଇଁ ବିଶ୍ୱକପ୍ ଜିତିବାକୁ ଚାହୁଁଥିଲେ । ସେ ଅନ୍ୟମାନଙ୍କ ଠାରୁ ବହୁତ ସମ୍ମାନର ଅଧିକାରୀ ଥିଲେ । ମୁଁ ଏହି ଦଳକୁ ନେଇ ନିଶ୍ଚିତ ନୁହେଁ । ବିରାଟ କୋହଲିଙ୍କ ପାଇଁ କିଏ ବିଶ୍ୱକପ୍ ଜିତିବାକୁ ଚାହୁଁଛନ୍ତି ତାହା ଜଣା ନାହିଁ । କିନ୍ତୁ ଭାରତକୁ ଜିତାଇବା ପାଇଁ ସେମାନେ ପୂରା ଦମ ଲଗାଇଦେଇଛନ୍ତି । ଏହା ଏକ ବଡ଼ ପାର୍ଥକ୍ୟ ବୋଲି ହରଭଜନ କହିଛନ୍ତି ।