ଗୁଆହାଟୀ: ବାଲ୍ୟବିବାହକୁ ନେଇ ଆସାମ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଚଳିତମାସ ୬ରୁ ରାଜ୍ୟରେ ବାଲ୍ୟବିବାହ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ଇତିମଧ୍ୟରେ ୩ ହଜାରରୁ ଅଧିକ ଅଭିଯୁକ୍ତ ଗିରଫ ହୋଇସାରିଲେଣି । ଗୁଆହାଟୀ ହାଇକୋର୍ଟ ଅବଶ୍ୟ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ନାପସନ୍ଦ କରିବା ସହ ପୀଡିତ ପରିବାରଙ୍କ ଅସୁବିଧାକୁ ନେଇ ଘୋର ଉଦ୍ବେଗ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ସରକାର ବାଲ୍ୟବିବାହ ରୋକିବାକୁ ବାଲ୍ ପଞ୍ଚାୟତ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଫେବୃଆରୀ ୧୯ ଅର୍ଥାତ୍ ରବିବାର କାଚାର ଜିଲ୍ଲାରୁ ଏହି ଅଭିଯାନ ଆରମ୍ଭ ହୋଇଛି ।
ଲୋକଙ୍କୁ ବାଲ୍ୟବିବାହର କୁପରିଣତି ସମ୍ପର୍କରେ ସଚେତନ କରାଇବାରେ ଏଭଳି ବାଲ୍ ପଞ୍ଚାୟତ ଜିଲ୍ଲା ପ୍ରଶାସନକୁ ସହାୟତା କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ପଞ୍ଚାୟତ ସରପଞ୍ଚଙ୍କୁ ବାଲ୍ ପଞ୍ଚାୟତର ସଭାପତି ଦାୟିତ୍ୱ ପ୍ରଦାନ କରାଯାଇଥିବାବେଳେ ଅଙ୍ଗନବାଡି କର୍ମଚାରୀ, ଆଶା କର୍ମୀ, ଡାକ୍ତର ଓ ପୁଲିସ ତାଙ୍କୁ ସହାୟତା କରିବେ ବୋଲି କୁହାଯାଇଛି । ଆସାମ ପୁଲିସ ଇତିମଧ୍ୟରେ ୪୨୩୫ ମାମଲା ରୁଜୁ କରିଥିବାବେଳେ ୬୭୦୦ ଅଭିଯୁକ୍ତଙ୍କୁ ଚିହ୍ନଟ କରିସାରିଛି ।