ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଗତକାଲି କୁସ୍ତିରୁ ସନ୍ୟାସ ନେବା ପରେ ଆଜି ବଡ଼ ଘୋଷଣା କରିଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । କୁସ୍ତି ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜ ଭୂଷଣଙ୍କ ସହଯୋଗୀ ସଞ୍ଜୟ ସିଂ କୁସ୍ତି ମହାସଂଘର ମୁଖ୍ୟ ଭାବେ ନିର୍ବାଚିତ ହେବା ପରେ ଏହାକୁ ବିରୋଧ କରି ଏପରି ନିଷ୍ପତ୍ତି ନେଇଛନ୍ତି ପୁନିଆ । ଏନେଇ ସେ ଆଜି ଏକ୍ସ ସାଇଟରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । ଗୁରୁବାର କୁସ୍ତି ମହାସଂଘର ଅଧ୍ୟକ୍ଷ ଲାଗି ନିର୍ବାଚନ ହୋଇଥିବା ବେଳେ ବିବାଦୀୟ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସିଂ ଏହି ନିର୍ବାଚନ ଜିତିଥିଲେ । ଏହାପରେ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆଓ ଭିନେଶ ଫୋଗାଟ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ଏହାକୁ ବିରୋଧ କରି ସାକ୍ଷୀ କୁସ୍ତିରୁ ସନ୍ୟାସ ନେବା ଲାଗି ଘୋଷଣା କରିଥିଲେ । ଏହାପରେ ସାକ୍ଷୀ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିବା ବେଳେ ସାମ୍ବାଦିକ ସମ୍ମିଳନୀରୁ କାନ୍ଦି କାନ୍ଦି ପଳାଇଥିବା ଦେଖିବାକୁ ମିଳିଥିଲା । ତେବେ ସେ କୁସ୍ତିରୁ ସନ୍ୟାସ ନେବାର ଗୋଟିଏ ଦିନ ପରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବା ଲାଗି ଅନ୍ୟତମ କୁସ୍ତିଯୋଦ୍ଧା ପୁନିଆ ଘୋଷଣା କରିଛନ୍ତି । ଏନେଇ ପୁନିଆ ଏକ୍ସ ସାଇଟରେ ଏକ ପୋଷ୍ଟ କରି କହିଛନ୍ତି, “ମୁଁ ମୋର ପଦ୍ମଶ୍ରୀ ପୁରସ୍କାରକୁ ପ୍ରଧାନମନ୍ତ୍ରୀଙ୍କୁ ଫେରାଉଛି । ଏହାସହିତ ପୁନିଆ ଏକ ଲମ୍ବା ଚିଠି ମଧ୍ୟ ପୋଷ୍ଟ କରିଛନ୍ତି । ସୂଚନା ଥାଉ କି କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଆଣି ତାଙ୍କୁ ଏହି ପଦରୁ ହଟାଇବା ଲାଗି ଅନେକ ଦିନରୁ କୁସ୍ତିଯୋଦ୍ଧାମାନେ ଦାବି କରିଆସୁଥିଲେ । ଏନେଇ ବହୁ କୁସ୍ତିଯୋଦ୍ଧା ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ଜନ୍ତର ମନ୍ତରରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ ।