19.1 C
Bhubaneswar
Friday, November 22, 2024
Homeଓଡିଶାରାଜ୍ୟରେ ବଢ଼ିଲା ତାତି, ୪୦ଡିଗ୍ରୀ ଉପରେ ୮ ସହର

ରାଜ୍ୟରେ ବଢ଼ିଲା ତାତି, ୪୦ଡିଗ୍ରୀ ଉପରେ ୮ ସହର

ଭୁବନେଶ୍ୱର: ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ୯ ତାରିଖ ବେଳକୁ ଏହା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବ ଏବଂ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଆଡ଼କୁ ଗତି କରି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରାଯିବ । ଏହି ଘୂର୍ଣ୍ଣିବଳୟ ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ନିୟମିତ ଭାବେ ଏହାର ତଦାରଖ କରାଯାଉଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

ଏହାର ପ୍ରଭାବରେ ୧୦ ଓ ୧୧ ତାରିଖରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ୮, ୯ ଓ ୧୨ ତାରିଖରେ ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ସଂଲଗ୍ନ ଆଣ୍ଡାମାନ ସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଆଜି ଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ସମୁଦ୍ର ଅଶାନ୍ତ ରହିବ ଏବଂ ୯ ତାରିଖ ପରଠାରୁ ଏହା ଅତ୍ୟନ୍ତ ଅଶାନ୍ତ ହେବ । ୧୦ ତାରିଖ ପରଠାରୁ ଦକ୍ଷିଣ-ପୂର୍ବ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏହା ଭୀଷଣ ହେବାର ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀ, କ୍ଷୁଦ୍ର ଜାହାଜ, ଡଙ୍ଗା ଏବଂ ଟ୍ରଲରଗୁଡ଼ିକୁ ଆଜିଠାରୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରର ଆଖପାଖ ଅଞ୍ଚଳକୁ ଏବଂ ମେ’ ୯ ତାରିଖରୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଫେରିଯିବାକୁ ପରାମର୍ଶ ଦିଆଯାଇଛି ।

ଅପରପକ୍ଷରେ ଆଜି ରାଜ୍ୟର ଅନେକ ଜିଲ୍ଲାର ତାପମାତ୍ରା ବୃଦ୍ଧି ପାଇଛି । କାଳବୈଶାଖୀ ଲାଗି ୮ରେ ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଏବଂ ୯ରେ ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ଓ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ପାରଳାଖେମୁଣ୍ଡିରେ ସର୍ବାଧିକ ୧୭.୪ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ଅନେକ ସହରରେ ଗୁଳୁଗୁଳି ବଢ଼ିଥିବା ବେଳେ କିଛି ସହରର ତାପମାତ୍ରା ପୁଣି ୪୦ଂ ପାର କରିଛି । ବୌଦ୍ଧରେ ତାପମାତ୍ରା ସର୍ବାଧିକ ୪୧.୫ ରହିଥିବା ବେଳେ ଅନୁଗୁଳ ୪୧.୭, ତାଳଚେର ୪୧, ଝାରସୁଗୁଡା ୪୦.୮, ସମ୍ବଳପୁର ୪୦.୩, ବଲାଙ୍ଗୀର ୪୦, ରାଉରକେଲା ୪୦, .ଭୁବନେଶ୍ୱର ୩୭.୬ ଓ କଟକର ତାପମାତ୍ରା ୩୯.୧ ଡିଗ୍ରୀ ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking