22.1 C
Bhubaneswar
Thursday, December 5, 2024
Homeଓଡିଶାଭୁବନେଶ୍ୱରବାବୁସାନ୍‌-ତୃପ୍ତି-ପ୍ରକୃତି ବିବାଦ: ପ୍ରକୃତିଙ୍କୁ ଜେରା, ବାବୁସାନ୍‌ଙ୍କୁ ଅପେକ୍ଷା

ବାବୁସାନ୍‌-ତୃପ୍ତି-ପ୍ରକୃତି ବିବାଦ: ପ୍ରକୃତିଙ୍କୁ ଜେରା, ବାବୁସାନ୍‌ଙ୍କୁ ଅପେକ୍ଷା

ଭୁବନେଶ୍ୱର: ଓଲିଉଡ୍ ସୁପରଷ୍ଟାର ବାବୁସାନ୍ ମହାନ୍ତିଙ୍କ ଘରକଳି ବିବାଦକୁ ନେଇ ଦୋଷ ବୋଳାବୋଳି ଲାଗିରହିଛି । ଗଣମାଧ୍ୟମରେ ଉଭୟପକ୍ଷର ଲୋକେ ଭିନ୍ନଭିନ୍ନ ମତ ଦେଉଥିବାବେଳେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି । ମଙ୍ଗଳବାର ଚେନ୍ନାଇରୁ ପ୍ରକୃତି ମିଶ୍ର ତାଙ୍କ ପରିବାର ସହ ଭୁବନେଶ୍ୱର ଫେରିବା ପରେ ପୁଲିସ ଟିମ୍ ସତ୍ୟନଗରସ୍ଥିତ ତାଙ୍କ ଘରକୁ ଯାଇଥିଲେ । ଖାରବେଳନଗର ଥାନାଧିକାରୀ ଅରୁଣ କୁମାର ସ୍ୱାଇଁ ଓ ତଦନ୍ତକାରୀ ଅଧିକାରୀ ମୀନତି କୁମାରୀ ନାୟକ ମଧ୍ୟାହ୍ନ ୧୨ଟାରେ ପହଞ୍ଚିଥିଲେ । ପରିବାରଲୋକଙ୍କ ଉପସ୍ଥିତିରେ ପ୍ରକୃତିଙ୍କୁ ୧ଘଣ୍ଟା ୨୦ ମିନିଟ୍ ଜେରା କରାଯାଇଛି । ତୃପ୍ତି ଦେଇଥିବା ଏତଲା ଏବଂ ପ୍ରକୃତିଙ୍କ ମା’ ଦେଇଥିବା ଏତଲା ଆଧାରରେ ପୁଲିସ ପ୍ରଶ୍ନ ପଚାରିଛି । ତେବେ ପ୍ରକୃତିଙ୍କୁ ୧୫ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରାଯାଇଥିବା ଜଣାପଡ଼ିଛି । ଜେରା ସାରି ପ୍ରାୟ ୧ଟା ୨୦ମିନିଟ୍‌ରେ ପୁଲିସ ଟିମ୍ ସେଠାରୁ ଫେରିଥିଲେ ।
ବାବୁସାନ ଓ ପ୍ରକୃତିଙ୍କ ସମ୍ପର୍କ କେତେଦିନର, କିଏ କାହାକୁ ଆର୍ଥିକ ସହଯୋଗ କରୁଥିଲେ, ଉଭୟେ ଲିଭ୍‌-ଇନ୍‌ରେ ରହୁଥିଲେ କି, କେଉଁ ପରିସ୍ଥିତିରେ ସେମାନେ ମୁହାଁମୁହିଁ ହୋଇଥିଲେ, ତୃପ୍ତିଙ୍କ ଛଡ଼ା ତାଙ୍କ ସହ ଆଉ କେଉଁମାନେ ସେଠାରେ ଉପସ୍ଥିତ ଥିଲେ, ଝଗଡ଼ାରେ ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କ ଭୂମିକା କଣ, ତୃପ୍ତି କାହିଁକି ଗାଳି କରିବା ସହ ମାଡ଼ ମାରିଲେ, କେଉଁମାନେ ଭିଡ଼ିଓ କରୁଥିଲେ, ଘଟଣା ଘଟିବା ପରେ ବାପା-ମାଙ୍କୁ ଜଣାଇଥିଲେ କି, ସେଠାରୁ ଚେନ୍ନାଇ କେମିତି ଗଲେ, ବାବୁସାନଙ୍କ ସହ ସେ କାହିଁକି ଚେନ୍ନାଇ ଯାଇଥିଲେ, ଚେନ୍ନାଇରେ ବାବୁସାନ୍‌ଙ୍କ ସହ ଭେଟ ହୋଇଥିଲା କି, ସେଠାରେ କେଉଁଠି ରହିଥିଲେ, ଚେନ୍ନାଇରୁ ଆଉ କେଉଁଠାକୁ ଯିବାର କାର୍ଯ୍ୟକ୍ରମ ଥିଲା କି, ବାବୁସାନଙ୍କୁ ପ୍ରକୃତି ବ୍ଲାକମେଲ କରୁଥିଲେ କି, ବାବୁସାନଙ୍କ ପରିବାର ସହ ଝଗଡ଼ା ହୋଇଥିଲା କି, ବାବୁସାନଙ୍କୁ ସେ ନିଶା ଦେଉଥିଲେ କି, ଯଦି ଝଗଡ଼ା ହୋଇଥିଲେ ତେବେ ପୁଣି କାହିଁକି ମିଶୁଥିଲେ, ଏଭଳି କେତେକ ପ୍ରଶ୍ନ ପ୍ରକୃତିଙ୍କୁ ପଚରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି ।
ଅନ୍ୟପକ୍ଷେ ଚେନ୍ନାଇରୁ ପ୍ରକୃତି ଫେରିଥିବା ବେଳେ ବାବୁସାନ୍ ଓଡ଼ିଶା ଆସିନାହାନ୍ତି । ରାତିରେ ଇଣ୍ଡିଗୋ ବିମାନରେ ବାବୁସାନ୍ ଓଡ଼ିଶା ଫେରିବା ନେଇ ଚର୍ଚ୍ଚା ହେଉଥିଲା । ଏମିତିକି ଚେନ୍ନାଇ ଏୟାରପୋର୍ଟରେ ବାବୁସାନ୍ ଥିବା ଏକ ଭିଡ଼ିଓ ଭାଇରାଲ ମଧ୍ୟ ହୋଇଛି । ଉକ୍ତ ଭିଡ଼ିଓରେ ବାବୁ ସାନ୍‌ଙ୍କ ସହ ଅଭିନେତା ରବି ମିଶ୍ର ଓ ଅନ୍ୟ ଜଣେ ସହଯୋଗୀ ରହିଛନ୍ତି । ହେଲେ ରାତି ୯ଟା ୫୦ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବାକୁ ଥିବା ଇଣ୍ଡିଗୋ ବିମାନରେ ବାବୁସାନ୍ ଆସିନଥିଲେ । ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ବିମାନବନ୍ଦରରେ ଲାଗିଥିଲା । ହେଲେ ବାବୁସାନ୍ ନଆସିବାରୁ ସମସ୍ତେ ନିରାଶ ହୋଇ ଫେରିଥିଲେ । ଉକ୍ତ ବିମାନରେ ଆସୁଥିବା ଯାତ୍ରୀଙ୍କୁ ପଚାରିବାରୁ ସେମାନେ ବାବୁସାନ୍‌ଙ୍କୁ ଚେନ୍ନାଇ ବିମାନବନ୍ଦରରେ ଦେଖିଥିବା କହିଛନ୍ତି । ତାହା ପରଠୁ ବାବୁସାନ୍‌ଙ୍କୁ ସେମାନେ ଦେଖିନାହାନ୍ତି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ତେବେ ବାବୁସାନ୍ ଓଡ଼ିଶା ଫେରିବା ପରେ ତାଙ୍କୁ ଜେରା କରାଯିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking