ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟୀ ଟିମ୍ ପାଇଁ ପୁରସ୍କାର ଘୋଷଣା। ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି ଭାରତୀୟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)। ପୁରସ୍କାର ରାଶି ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ। ଗତକାଲି ଇଂଲଣ୍ଡକୁ ହାରାଇ ବିଶ୍ୱ ଚମ୍ପିଆନ ହୋଇଥିଲା ଭାରତ। ଷଷ୍ଠ ଥର ପାଇଁ ବିଶ୍ୱକପ ଜିତିଛି ଭାରତ। ବିସିସିଆଇ ସଚିବ ଦେବଜିତ ସାଇକିଆ ଏଏନଆଇ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ୨୦୨୬ର ୧୯ ବର୍ଷରୁ କମ୍ ବିଶ୍ୱକପ୍ ବିଜୟ ପାଇଁ ସମଗ୍ର ଦେଶ ଏବଂ ବିସିସିଆଇ ଆମ ୧୯ ବର୍ଷରୁ କମ୍ ଦଳ ଉପରେ ଗର୍ବିତ। ଆମ ଦଳ ଫାଇନାଲରେ ଇଂଲଣ୍ଡକୁ ଯେପରି ପରାସ୍ତ କରିଥିଲା ଏବଂ ଟୁର୍ଣ୍ଣାମେଣ୍ଟରେ ସେମାନେ ଅପରାଜିତ ରହି ଯେଉଁ ଉଲ୍ଲେଖନୀୟ ପ୍ରଦର୍ଶନ ଦେଖାଇଛନ୍ତି, ସେଥି ପାଇଁ ଆମେ ସମସ୍ତେ ଗର୍ବିତ। ବିସିସିଆଇ ଦଳକୁ ୭.୫୦ କୋଟି ଟଙ୍କା ନଗଦ ପୁରସ୍କାର ପ୍ରଦାନ କରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ପାଇଁ ୧୯ ବର୍ଷରୁ କମ୍ ଦଳକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଭାରତର କ୍ରିକେଟ୍ ପ୍ରତିଭା ଉଜ୍ଜ୍ୱଳ। ବିଶ୍ୱକପ୍ ଘରକୁ ଆଣିବା ପାଇଁ ଆମର ୧୯ ବର୍ଷରୁ କମ୍ ଦଳ ପାଇଁ ଗର୍ବିତ। ଦଳ ଟୁର୍ଣ୍ଣାମେଣ୍ଟରେ ବହୁତ ଭଲ ଖେଳିଛି, ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଛି। ଏହି ବିଜୟ ଅନେକ ଯୁବ ଖେଳାଳିଙ୍କୁ ମଧ୍ୟ ପ୍ରେରଣା ଦେବ। ଖେଳାଳିମାନଙ୍କୁ ସେମାନଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭେଚ୍ଛା। ଗତକାଲି ଜିମ୍ବାୱେର ହରାରେରେ ଅନୁଷ୍ଠିତ ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୬ ଫାଇନାଲରେ ଭାରତ ଅଣ୍ଡର-୧୯ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଷଷ୍ଠ ଟାଇଟଲ ହାସଲ କରିଥିଲା। ଯୁବ ଭାରତୀୟ ଦଳ ଏକ ହାଇ-ଅକ୍ଟେନ୍ ଫାଇନାଲରେ ରେକର୍ଡ ଭାଙ୍ଗିବା ଭଳି ପ୍ରଦର୍ଶନ କରିଥିଲା।










