ବେଙ୍ଗାଲୁର: ଅଗଷ୍ଟ ୧ରୁ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ଅଟୋ ଓ ଦୁଇଚକିଆ ଯାନ ସମେତ ଟ୍ରାକ୍ଟର, ମଲ୍ଟି ଆକ୍ସିଲ ହାଇଡ୍ରଲିକ୍ ଟ୍ରେଲର, ଚାରିଚକିଆ ଟ୍ରଲି ଚଳାଚଳକୁ ବ୍ୟାନ୍ କରାଯିବ ବୋଲି ଏନ୍ଏଚଏଆଇ (ନ୍ୟାସନାଲ ହାଇୱେ ଅଥରିଟୀ ଅଫ୍ ଇଣ୍ଡିଆ) କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି । ଚଳିତବର୍ଷ ମାର୍ଚ୍ଚରେ ଏହି ଏକ୍ସପ୍ରେସୱେ ଉଦ୍ଘାଟିତ ହୋଇଥିବାବେଳେ ଇତିମଧ୍ୟରେ ଏକାଧିକ ଦୁର୍ଘଟଣା ଘଟୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ଏନ୍ଏଚ୍ଏଆଇ ରାଜ୍ୟ ଶାଖା ପକ୍ଷରୁ ଏ ପ୍ରସଙ୍ଗରେ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ରିପୋର୍ଟ ମିଳିବାପରେ ଏକ୍ସପ୍ରେସୱେରେ ଉପରୋକ୍ତ ଯାନଗୁଡିକର ଚଳାଚଳା ନିଷେଧ କରାଯାଇଛି । ଏନ୍ଏଚ୍ଏଆଇ ପକ୍ଷରୁ ଜୁଲଇ ୧୨ରେ ପ୍ରକାଶ କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏକ୍ସପ୍ରେସୱେରେ ହାଇ-ସ୍ପିଡ୍ ଯାନଗୁଡିକ ଚଳାଚଳ କରୁଥିବାରୁ ଅପେକ୍ଷାକୃତ ଧିମା ଗତିରେ ଯାଉଥିବା ଦୁଇଚକିଆ ଯାନ, ଅଟୋ ଏବଂ ଟେମ୍ପୋଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ହାଇସ୍ପିଡ୍ ଏବଂ ଧିମା ବେଗରେ ଯାଇଥିବା ଯାନ ମଧ୍ୟରେ ବେଗର ତଫାତ୍ ଯୋଗୁଁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି ବୋଲି କମିଟି ରିପୋର୍ଟ ଦେଇଛି ।
ତେଣୁ କଣ୍ଟ୍ରୋଲ ଅଫ୍ ନ୍ୟାସନାଲ ହାଇୱେଜ୍ (ଲ୍ୟାଣ୍ଡ୍ ଆଣ୍ଡ୍ ଟ୍ରାଫିକ୍) ଆଇନ ୨୦୦୨ର ଧାରା ୩୫ ଅନୁଯାୟୀ ଏନ୍ଏଚଏଆଇ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଦେଇଥିବା କୁହାଯାଇଛି । ନିଷ୍ପତ୍ତି ଅନୁଯାୟୀ ଅଗଷ୍ଟ ୧ରୁ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସୱେରେ ଦୁଇଚକିଆ (ବାଇକ୍, ସ୍କୁଟର ଇତ୍ୟାଦି), ତିନିଚକିଆ (ଅଟୋ,ଇ-ରିକ୍ସା), ଟ୍ରାକ୍ଟର (ଟ୍ରଲି ସହ କିମ୍ବା ବିନା ଟ୍ରଲି), ଡାଲା ଅଟୋ, ମଲ୍ଟିଆକ୍ସିଲ ହାଇଡ୍ରଲିକ୍ ଟ୍ରେଲର ଏବଂ କ୍ୱାଡ୍ରି ସାଇକେଲର ଚଳାଚଳକୁ ନିଷେଧ କରାଯାଇଛି । ଅପରପକ୍ଷରେ ଏହି ସବୁ ଯାନ ପାଇଁ ବିକଳ୍ପ ରାସ୍ତା ରହିଥିବା ଏନ୍ଏଚ୍ଏଆଇ ପକ୍ଷରୁ କୁହାଯାଇଛି । ୮୪୮୦ କୋଟି ଟଙ୍କାରେ ନିର୍ମିତ ୧୧୮ କିମି ଦୂରତ୍ୱ ଓ ୬ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସୱେରେ ହାଇସ୍ପିଡ୍ ଯାନଗୁଡିକ ସର୍ବାଧିକ ୮୦ କିମି (ଘଣ୍ଟା ପ୍ରତି) ବେଗରେ ଯିବାର ନିୟମ ଥିବାବେଳେ ଡ୍ରାଇଭରମାନେ କେତେକ କ୍ଷେତ୍ରରେ ୧୨୦ରୁ ୧୩୦ କିମି ବେଗରେ ଗାଡି ଚଳାଉଥିବା ଲକ୍ଷ୍ୟ କରାଯାଇଛି । ଫଳରେ ନିୟନ୍ତ୍ରଣ ହରାଉଥିବା ଯାନଗୁଡିକ ଅନ୍ୟ ଛୋଟ ଯାନ ସହ ଧକ୍କା ହେଉଛି ।