24.1 C
Bhubaneswar
Tuesday, October 22, 2024
Homeଖେଳଅଷ୍ଟ୍ରେଲିଆନ୍ ଓପନ୍‌; ଫାଇନାଲ୍‌ରେ ବୋପନ୍ନା ଓ ଏବ୍‌ଡେନ୍‌

ଅଷ୍ଟ୍ରେଲିଆନ୍ ଓପନ୍‌; ଫାଇନାଲ୍‌ରେ ବୋପନ୍ନା ଓ ଏବ୍‌ଡେନ୍‌

ମେଲ୍‌ବର୍ଣ୍ଣ : ଭାରତର ଷ୍ଟାର୍ ଟେନିସ୍ ଖେଳାଳି ରୋହନ ବୋପନ୍ନା ଏବଂ ତାଙ୍କ ଅଷ୍ଟ୍ରେଲୀୟ ଯୋଡ଼ିଦାର ମାଥ୍ୟୁ ଏବ୍‌ଡେନ୍ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ଡବଲ୍ସ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ସିଡ୍ ଇଣ୍ଡୋ-ଅଷ୍ଟ୍ରେଲିଆନ୍ ଯୋଡ଼ି ଗୁରୁବାର ସେମିଫାଇନାଲ୍‌ରେ ଟମସ୍ ମଚାକ୍ ଓ ଝିଝେନ୍ ଝାଙ୍ଗ୍‌ଙ୍କ ଅଣସିଡେଡ୍ ଯୋଡ଼ିକୁ ୬-୩, ୩-୬, ୭-୬ (୧୦-୭)ରେ ହରାଇ ଦେଇଛନ୍ତି । ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍‌ର ସୁପର୍ ଟାଇବ୍ରେକର୍‌ରେ ବୋପନ୍ନାଙ୍କ ଅନୁଭବ କାର୍ଯ୍ୟରେ ଆସିଥିଲା । ରୋହନ୍ ବୋପନ୍ନା କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ନିଜ ନାମରେ କରିବାଠାରୁ ଏବେ ଗୋଟିଏ ମ୍ୟାଚ୍ ଦୂରରେ ରହିଛନ୍ତି । ସେମିଫାଇନାଲ୍‌ରେ ପ୍ରବେଶ ସହ ବୁଧବାର ବୋପନ୍ନା ଇତିହାସ ରଚି ବୟସ୍କ ଖେଳାଳି ଭାବେ ପୁରୁଷ ଡବଲ୍ସରେ ବିଶ୍ୱ ଏକ ନମ୍ବର ହୋଇଛନ୍ତି । ଏହା ସହିତ ଟେନିସ୍‌ରେ ସେ ଅଧିକ ଇତିହାସ ସୃଷ୍ଟି କରିବା ଦିଗରେ ଅଗ୍ରସର ହୋଇଛନ୍ତି ।

ଏହି ବିଜୟ ସହିତ ରୋହନ ବୋପନ୍ନା ଓ ମାଥ୍ୟୁ ଏବ୍‌ଡେନ୍‌ଙ୍କ ଯୋଡ଼ି ପଛକୁ ପଛ ଗ୍ରାଣ୍ଡ୍ ସ୍ଲାମ୍ ଫାଇନାଲ୍ ସ୍ଥାନ ହାସଲରେ ସଫଳ ହୋଇଛନ୍ତି । ଏହା ପୂର୍ବରୁ ଏହି ଯୋଡ଼ି ୨୦୨୩ ୟୁଏସ୍ ଓପନ୍ ଫାଇନାଲ୍ ଖେଳିଥିଲେ । ବୋପନ୍ନା ୨୦୧୩ ଓ ୨୦୨୩ରେ ୟୁଏସ୍ ଓପନ୍ ଫାଇନାଲ୍‌ରେ ପ୍ରବେଶ କରିଥିଲେ ମଧ୍ୟ ଗ୍ରାଣ୍ଡ୍‌ସ୍ଲାମ୍ ଟାଇଟଲ୍ ଜିତିପାରି ନଥିଲେ । ଏବେ ୪୩ ବର୍ଷ ବୟସରେ ନିଜର ଏହି ସ୍ୱପ୍ନ ପୂରଣ କରିବା ଠାରୁ ଗୋଟିଏ ବିଜୟ ଦୂରରେ ରହିଛନ୍ତି । ବୋପନ୍ନା ଓ ଏବ୍‌ଡେନ୍‌ଙ୍କ ଯୋଡ଼ି ପ୍ରଥମ ସେଟ୍‌ରୁ ହିଁ ପ୍ରଣ୍ଟ୍‌ଫୁଟ୍‌ରେ ରହିଥିଲେ । ପ୍ରଥମ ସେଟ୍ ୬-୩ରେ ଜିତିବା ପରେ ବର୍ଷା କାରଣରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା, ଯାହା ଫଳରେ ଏହି ଯୋଡ଼ି ଲୟ ହରାଇବା ସହ ଝାଙ୍ଗ୍ ଓ ମଚାକ୍ ଯୋଡ଼ିକୁ ଦ୍ୱିତୀୟ ସେଟ୍‌ରେ ପ୍ରତ୍ୟାବର୍ତ୍ତନ ସୁଯୋଗ ମିଳିଥିଲା ।

ଦ୍ୱିତୀୟ ସେଟ୍‌ରେ ବୋପନ୍ନା-ଏବ୍‌ଡେନ୍ ଯୋଡ଼ି ୩-୬ରେ ପରାଜିତ ହୋଇଥିଲେ । ତୃତୀୟ ତଥା ଅନ୍ତିମ ସେଟ୍‌ରେ ଝାଙ୍ଗ୍ ଓ ମାଚାକ୍‌ଙ୍କ ଯୋଡ଼ି ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରି ୧-୪ରେ ପଛୁଆ ରହିବା ସତ୍ତ୍ୱେ ଏହାକୁ ଟାଇବ୍ରେକର୍ ପର୍ଯ୍ୟନ୍ତ ନେଇଯାଇଥିଲେ । ଟାଇ-ବ୍ରେକର୍‌ରେ ଶେଷପର୍ଯ୍ୟନ୍ତ ସଂଘର୍ଷରେ ବୋପନ୍ନା-ଏବ୍‌ଡେନ୍‌ଙ୍କ ଯୋଡ଼ି କେତେକ ଅବିଶ୍ୱସନୀୟ ଶଟ୍‌-ମେକିଂ ବଳରେ ବିଜୟୀ ହୋଇଥିଲେ । ବୋପନ୍ନା ଓ ଏବ୍‌ଡେନ୍‌ଙ୍କ ଯୋଡ଼ି ଟାଇବ୍ରେକର୍ ୧୦-୭ରେ ଜିତି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ଫାଇନାଲ୍‌ରେ ବୋପନ୍ନା ଓ ଏବ୍‌ଡେନ୍‌ଙ୍କ ମୁକାବିଲା ଆଣ୍ଡ୍ରିଆ ବାବାସୋରୀ ଓ ସିମୋନ୍ ବୋଲେଲିଙ୍କ ଇଟାଲୀ ଯୋଡ଼ି ସହ ହେବ । ବାବାସୋରୀ ଓ ବୋଲେଲି ଯୋଡ଼ି ଅନ୍ୟ ସେମିଫାଇନାଲ୍‌ରେ ଡୋମିନିକ୍ ଫୋଏଫର୍ ଏବଂ ୟାନିକ୍ ହନଫ୍‌ମ୍ୟାନ୍‌ଙ୍କ ଜର୍ମାନୀ ଯୋଡ଼ିକୁ ୬-୩, ୩-୬, ୭-୬ (୧୦-୫)ରେ ହରାଇ ଫାଇନାଲ୍ ସ୍ଥାନ ପକ୍କା କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking