କରାଚି: ଶୁକ୍ରବାର କ୍ରିକେଟ୍ ଅଷ୍ଟ୍ରେଲିଆ କଙ୍ଗାରୁ ଟିମ୍ର ପାକିସ୍ତାନ ଗସ୍ତକୁ ମଞ୍ଜୁରୀ ପ୍ରଦାନ କରିଛି । ଏହା ବ୍ୟତୀତ ଉଭୟ ବୋର୍ଡ ଯାତ୍ରା କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରିଛନ୍ତି । ଫଳରେ ଦୀର୍ଘ ୨୪ ବର୍ଷର ବ୍ୟବଧାନ ପରେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପାକିସ୍ତାନ ମାଟିରେ ପାଦ ରଖିବ । ସୂଚନାଯୋଗ୍ୟ ଅଷ୍ଟ୍ରେଲିଆ ଶେଷଥର ପାଇଁ ୧୯୯୮ରେ ପାକିସ୍ତାନ ଗସ୍ତ କରିଥିଲା । ପାକିସ୍ତାନ ଗସ୍ତରେ ଅଷ୍ଟ୍ରେଲିଆ ଟିମ୍ ରାୱଲପିଣ୍ଡି, କରାଚି ଓ ଲାହୋରରେ ତିନିଟି ଟେଷ୍ଟ ମ୍ୟାଚ୍ ଖେଳିବ । ଏହି ପୂର୍ଣ୍ଣକାଳୀନ ଗସ୍ତରେ ତିନିଟି ଟେଷ୍ଟ ମ୍ୟାଚ୍ ବ୍ୟତୀତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଓ ଗୋଟିଏ ଟି-୨୦ ମ୍ୟାଚ୍ ମଧ୍ୟ ଖେଳାଯିବ । ଟେଷ୍ଟ ସିରିଜ୍ ମାର୍ଚ୍ଚ ୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ ।
ସୀମିତ ଓଭର୍ର ଚାରିଟି ମ୍ୟାଚ୍ ମାର୍ଚ୍ଚ ୨୯ରୁ ଏପ୍ରିଲ୍ ୫ ତାରିଖ ମଧ୍ୟରେ ରାୱଲପିଣ୍ଡିରେ ଖେଳାଯିବ । ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଗସ୍ତ ରଦ୍ଦ କରିବା ପରେ କଷ୍ଟକର ସମୟ ଦେଇ ଗସ୍ତ କରୁଥିବା ପାକିସ୍ତାନର ମନୋବଳ ଏହି ଗସ୍ତ ଫଳରେ ବୃଦ୍ଧି ପାଇବ । ୨୦୦୯ରେ ଲାହୋରରେ ଶ୍ରୀଲଙ୍କ କ୍ରିକେଟ୍ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ଏକ ଦଶକ ଧରି କୌଣସି ଶୀର୍ଷସ୍ଥାନୀୟ ଟିମ୍ ପାକିସ୍ତାନ ଗସ୍ତ କରିନଥିଲେ । ଫେବୃଆରୀ ୨୭ ତାରିଖରେ ଚାର୍ଟାର୍ଡ ବିମାନରେ ଇସ୍ଲାମାବାଦ ପହଞ୍ଚିବା ପୂର୍ବରୁ ଅଷ୍ଟ୍ରେଲିଆ ଟେଷ୍ଟ ଟିମ୍ ଖେଳାଳି ନିଜ ଦେଶରେ କ୍ୱାରେଣ୍ଟାଇନ୍ ଅବଧି ପୂରା କରିବେ ବୋଲି ଉଭୟ ବୋର୍ଡ ମଧ୍ୟରେ ସହମତି ହୋଇଛି ।
ପାକିସ୍ତାନରେ ପହଞ୍ଚିବା ପରେ ଖେଳାଳି ହୋଟେଲ୍ ରୁମ୍ରେ ଗୋଟିଏ ଦିନ କ୍ୱାରେଣ୍ଟାଇନ୍ ରହି ପରଦିନ ପିଣ୍ଡି କ୍ରିକେଟ୍ ଷ୍ଟାଡିୟମ୍ରେ ଅଭ୍ୟାସ ସେସନ୍ ଆରମ୍ଭ କରିବେ । ସେହିପରି ଦିନିକିଆ ଟିମ୍ ସଦସ୍ୟ ଅଷ୍ଟ୍ରେଲିଆରେ କ୍ୱାରେଣ୍ଟାଇନ୍ ଅବଧି ପୂରା କରି ମାର୍ଚ୍ଚ ୨୪ ତାରିଖରେ ଲାହୋରରେ ପହଞ୍ଚିବାର ସମ୍ଭାବନା ରହିଛି । ଟେଷ୍ଟ ସିରିଜ୍ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ର ଅଂଶବିଶେଷ ହେବ ଏବଂ ଦିନିକିଆ ସିରିଜ୍ ବିଶ୍ୱ କପ୍ ସୁପର୍ ଲିଗ୍ ଅଧୀନରେ ଖେଳାଯିବ । ସଂଶୋଧିତ କାର୍ଯ୍ୟକ୍ରମ ଅନୁସାରେ ପ୍ରଥମ ଟେଷ୍ଟ ମ୍ୟାଚ୍ (ମାର୍ଚ୍ଚ ୪-୮) ରାୱଲପିଣ୍ଡିରେ, ଦ୍ୱିତୀୟ ଟେଷ୍ଟ (ମାର୍ଚ୍ଚ ୧୨-୧୬) କରାଚିରେ ଏବଂ ତୃତୀୟ ଟେଷ୍ଟ ମ୍ୟାଚ୍ (୨୧-୨୫) ଲାହୋରରେ ଆୟୋଜିତ ହେବ । ସେହିପରି ପ୍ରଥମ ଦିନିକିଆ ମାର୍ଚ୍ଚ ୨୯, ଦ୍ୱିତୀୟ ଦିନିକିଆ ମାର୍ଚ୍ଚ ୩୧, ତୃତୀୟ ଦିନିକିଆ ଏପ୍ରିଲ୍ ୨ ଏବଂ ଟି-୨୦ ମ୍ୟାଚ୍ ଏପ୍ରିଲ୍ ୫ ତାରିଖରେ ଖେଳାଯିବ ।