ମେଲ୍ବର୍ଣ୍ଣ : ଆଇସିସି ଟି-୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ଆସନ୍ତା ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଘରୋଇ ଟି-୨୦ ସିରିଜ୍ ଖେଳିବ । ମିଡିଆ ରିପୋର୍ଟ ଅନୁସାରେ ଆରୋନ୍ ଫିଞ୍ଚ୍ଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଅଗଷ୍ଟ-ସେପ୍ଟେମ୍ବରରେ ଜିମ୍ବାୱେ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର୍ ଘରୋଇ ସିରିଜ୍ ଖେଳିବ । ଏହାପରେ ସେପ୍ଟେମ୍ବରରେ ତିନିଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତ କରିବ । ପରେ ଅଷ୍ଟ୍ରେଲିର ଟିମ୍ ଘରୋଇ ମାଟିରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୩ଟି ଲେଖାଏଁ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଅକ୍ଟୋବର ଓ ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ୍ ପାଇଁ ଏହି ଗସ୍ତ ଭାରତର ପ୍ରସ୍ତୁତିରେ ସହାୟକ ହେବ ।
ସେହିପରି ଆସନ୍ତା ବର୍ଷ ଫେବୃଆରୀ ଓ ମାର୍ଚ୍ଚରେ ମଧ୍ୟ ଅଷ୍ଟ୍ରେଲିଆ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳିବା ପାଇଁ ଭାରତ ଗସ୍ତ କରିବ। ଆଇପିଏଲ୍ ପରେ ରୋହିତ୍ ଶର୍ମାଙ୍କ ଟିମ୍ ଘରୋଇ ମାଟିରେ ଜୁନ୍ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ଏହାପରେ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଆୟର୍ଲାଣ୍ଡ୍ ଗସ୍ତ କରିବ । ଟିମ୍ ଇଣ୍ଡିଆ ଏହାପରେ ଇଂଲଣ୍ଡ ଯାଇ ଜୁଲାଇ ୧ ତାରିଖରେ କୋଭିଡ୍ ଯୋଗୁଁ ସ୍ଥଗିତ ରହିଥିôବା ଟେଷ୍ଟ୍ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଖେଳିବ । ଏହାପରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷରେ ତିନିଟି ଲେଖାଏଁ ଦିନିକିଆ ଓ ଟି-୨୦ ମ୍ୟାଚ୍ ବିଶିଷ୍ଟ ସୀମିତ ସିରିଜ୍ ଖେଳିବ ।