କଟକ: ରଜ୍ୟରେ ପ୍ରତ୍ୟେକ ମାତୃ ମୃତ୍ୟୁ ଘଟଣାରେ ଅଡିଟ୍ କରିବା ପାଇଁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ମାର୍ଥା ଶବରଙ୍କ ମୃତ୍ୟୁ ଘଟଣାରେ ହାଇକୋର୍ଟ ଉଦ୍ବେଗ ପ୍ରକାଶ କରି ଏହି ଆଦେଶ ପ୍ରଦାନ କରିଛନ୍ତି । ମାର୍ଥାଙ୍କ ଶ୍ୱଶୁର ସମ୍ଭର ଶବରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଏବଂ ବିଚାରପତି ଏମ୍ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମାର୍ଥାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଅଦାଲତ କହିଛନ୍ତି । ୧୦ ଲକ୍ଷ ଟଙ୍କାରୁ ମାର୍ଥା ଶବରଙ୍କ ଶାଶୁ ଓ ଶ୍ୱଶୁରଙ୍କ ନାମରେ ସାଢେ ୩ ଲକ୍ଷ ଟଙ୍କା ଲେଖାଁଏ ସ୍ଥାୟୀ ଜମା ରଖାଯିବ । ସ୍ୱାମୀ ଗଣପତି ଶବରଙ୍କ ନାମରେ ୩ ଲକ୍ଷ ଟଙ୍କା ଜମା କରାଯିବ । ବର୍ଷକ ପାଇଁ ଏହି ସ୍ଥାୟୀ ଜମାରାଶି ବ୍ୟାଙ୍କ୍ରେ ରହିବ । ଏହି ସମୟ ମଧ୍ୟରେ ଟଙ୍କା ଉଠାଯାଇ ପାରିବ ନାହିଁ ବୋଲି ଅଦାଲତ କହିଛନ୍ତି । ପ୍ରତି ୩ ମାସରେ ସ୍ଥାୟୀ ଜମାରାଶିର ସୁଧ ପୁଣି ଉକ୍ତ ଆକାଉଣ୍ଟରେ ଜମା ରହିବ । ଯଦି ସେମାନଙ୍କର କୌଣସି ବ୍ୟାଙ୍କ୍ ଆକାଉଣ୍ଟ ନଥିବ ଗଜପତି ଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ଏକ ଜାତୀୟକରଣ ବ୍ୟାଙ୍କ୍ରେ ସେମାନଙ୍କ ନାଁରେ ଆକାଉଣ୍ଟ ଖୋଲିବେ । ବର୍ଷକ ପରେ ଏହି ତିନିଜଣ ଯଦି ଚାହିଁବେ ତାହେଲେ ସେମାନଙ୍କ ସ୍ଥାୟୀ ଜମାରଶିରୁ ସମ୍ପୂର୍ଣ୍ଣ ଅବା ଅଧା ଅର୍ଥ ଉଠାଇ ପାରିବେ । ଏହି ଆଦେଶ କେତେଦୂର କାର୍ଯ୍ୟକରୀ ହୋଇଛି ସେ ସଂକ୍ରାନ୍ତର ରାଜ୍ୟ ସରକାର ଆସନ୍ତା ୮ ସପ୍ତାହ ମଧ୍ୟରେ ଏକ ରିପୋର୍ଟ ଅଦାଲତରେ ଦାଖଲ କରିବେ । ମାର୍ଥାଙ୍କ ମୃତ୍ୟୁ ପାଇଁ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ମେଡିକାଲର କର୍ମଚାରୀମାନେ ଦାୟୀ ବୋଲି ରାଜ୍ୟ ମହିଳା କମିଶନଙ୍କ ତଦନ୍ତ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା । ତେଣୁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟ ସରକାର ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଜାରି କରିବେ । ଏହି କାରଣ ଦର୍ଶାଅ ନୋଟିସ୍ର ଜବାବ ପାଇବା ପରେ ରାଜ୍ୟ ସରକାର ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏଥି ସହିତ ସମସ୍ତ କାର୍ଯ୍ୟ ଆସନ୍ତା ୬ ମାସ ମଧ୍ୟରେ ଶେଷ ହେବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜ୍ୟର ପ୍ରତ୍ୟେକ ମାତୃମୃତ୍ୟୁ ଘଟଣାର ଅଡିଟ୍ କରାଯିବ ବୋଲି ହାଇକୋର୍ଟ ଏହି ଅବସରରେ କହିଛନ୍ତି । ଏଥିପାଇଁ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ଏକ ଟିମ୍ ଗଠନ କରାଯିବ । ଏହି ଟିମ୍ ପ୍ରତ୍ୟେକ ମାତୃମୃତ୍ୟୁ ଘଟଣାର ତଦନ୍ତ କରିବ ବୋଲି ହାଇକୋର୍ଟ କହିଛନ୍ତି ।