32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଓକିଲଙ୍କ ଡିଗ୍ରୀ/ସାର୍ଟିଫିକେଟ ଯାଞ୍ଚ୍ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ଦ୍ୱାରା ୮ ଜଣିଆ କମିଟି ଗଠିତ

ଓକିଲଙ୍କ ଡିଗ୍ରୀ/ସାର୍ଟିଫିକେଟ ଯାଞ୍ଚ୍ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ଦ୍ୱାରା ୮ ଜଣିଆ କମିଟି ଗଠିତ

ନୂଆଦିଲ୍ଲୀ : ଓକିଲଙ୍କ ଆଇନଗତ ଡିଗ୍ରୀ ଓ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ସୁପ୍ରିମକୋର୍ଟଙ୍କ ତରଫରୁ ସୋମବାର ୮ ଜଣିଆ କମିଟି ଗଠନ କରାଯାଇଛି । ଏହାଫଳରେ ଜାଲ୍ ସାର୍ଟିଫିକେଟ ଦାଖଲ କରି ଆଇନ ପେସାରେ ସାମିଲ ଥିବା ନକଲି ଓକିଲଙ୍କୁ ସହଜରେ ଚିହ୍ନଟ କରାଯାଇପାରିବ ବୋଲି କୁହାଯାଇଛି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଦୀପକ ଗୁପ୍ତା କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିବାବେଳେ ଆହ୍ଲାବାଦ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରୁଣ ଟଣ୍ଡନ, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ରାଜେନ୍ଦ୍ର ମୋହନ, ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ, ମନିନ୍ଦର ସିଂହଙ୍କ ସମେତ ବାର୍ କାଉନସିଲ ଅଫ୍ ଇଣ୍ଡିଆ (ବିସିଆଇ) ପକ୍ଷରୁ ମନୋନୀତ ୩ ଜଣଙ୍କୁ କମିଟିର ସଦସ୍ୟ ପଦ ମିଳିଛି ।

୨୦୨୩ ଅଗଷ୍ଟ ୩୧ ସୁଦ୍ଦା ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ବିସିଆଇର ଏକ ନିର୍ଦ୍ଦେଶନାମା ପ୍ରତିବାଦରେ ଅଜୟ ଶଙ୍କର ଶ୍ରୀବାସ୍ତବ ନାମକ ଜଣେ ଆଇନଜୀବୀ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଏର କରିଥିଲେ । ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ପୀଠରେ ଏହାର ଶୁଣାଣି କରାଯାଇଥିଲା । ୨୦୧୫ରେ ବିସିଆଇ ପକ୍ଷରୁ ବିସିଆଇ ସାର୍ଟିଫିକେଟ ଓ ପ୍ରାକ୍ଟିସ ସ୍ଥାନ ଯାଞ୍ଚ ସଂକ୍ରାନ୍ତ ନିୟମ ପ୍ରଚଳନ କରାଯାଇଥିଲା ।

ତଦନୁଯାୟୀ ସଂପୃକ୍ତ ଓକିଲଙ୍କ ପ୍ରାକ୍ଟିସ ସ୍ଥାନକୁ ନେଇ ଏସ୍‌ବିସି (ଷ୍ଟେଟ ବାର୍ କାଉନସିଲ) ଓ ବିସିଆଇ ଯାଞ୍ଚ କରିବ ବୋଲି କୁହାଯାଇଥିଲା । ଏହାକୁ ନେଇ ଓକିଲଙ୍କ ପକ୍ଷରୁ ବିଭିନ୍ନ ହାଇକୋର୍ଟରେ ମାମଲା ଦାଏର କରାଯାଇଥିଲା । ବିସିଆଇର ଆବେଦନକୁ ଭିତ୍ତି କରି ସବୁ ପିଟିସନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ବିସିଆଇ ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ତେବେ ସାର୍ଟଫିକେଟ ଯାଞ୍ଚ କରିବାକୁ ବିଶ୍ୱବିଦ୍ୟାଳୟଗୁଡିକ ଅଧିକ ପ୍ରାପ୍ୟ ଦାବି କରିବାରୁ ଏହି ପ୍ରକ୍ରିୟାରେ ଜଟିଳତା ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ପ୍ରାପ୍ୟ ଦାବି ଉପରେ ରହିତାଦେଶ ଜାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking