ଭୁବନେଶ୍ୱର: ଶ୍ୱଶୂରଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଟେଲି ଅଭିନେତାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଆରଧନା ନଗର ପ୍ଲଟ୍ ନଂ-୩୩୫/୨୬୯୨ରେ ରହୁଥିବା ରାଜେଶ କୁମାର ମିଶ୍ର(୪୦) । ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି । ଜାମିନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ରାଜେଶ ଜଣେ ଅଭିନେତା । ସେ ଏକାଧିକ ଓଡ଼ିଆ ଧାରାବାହିକରେ ନାୟକ ଏବଂ ଖଳନାୟକ ଭୂମିକା ତୁଲାଇଛନ୍ତି । ଏବେ ମଧ୍ୟ ‘ହେ ପ୍ରଭୁ’ ନାମକ ଏକ ଓଡ଼ିଆ ଧାରାବାହିକରେ ଅଭିନୟ କରୁଛନ୍ତି । ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣୀଶ୍ୱର ସନ୍ତୋଷ ଚୌଧୁରି କଲୋନୀର ଜୟନାରାୟଣ ନନ୍ଦଙ୍କ ଝିଅ ରିୟା ନନ୍ଦଙ୍କୁ ରାଜେଶ ବିବାହ କରିଥିଲେ ।
ରାଜେଶ ଅଭିନୟ କରିବା ସହ ଏୟାରଫିଲ୍ଡ ଅଞ୍ଚଳରେ ଏକ ଜିମ୍ ଖୋଲିଥିଲେ । ହେଲେ କରୋନା ପାଇଁ ଜିମ୍ଟି ଚାଲିପାରିନଥିଲା । ଯେଉଁଥିପାଇଁ ରାଜେଶଙ୍କ ଆର୍ଥିକ ସମସ୍ୟା ଉପୁଜିଥିଲା । ଏହାଦେଖି ଜୟନାରାୟଣ ତାଙ୍କ ଝିଅ ରିୟା ନନ୍ଦ ଓ ନାତିକୁ ନିଜ ପାଖକୁ ନେଇଆସିଥିଲେ । ଏହାପରଠୁ ରାଜେଶ ନିଜ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲେ । ହେଲେ ମଝିରେ ମଝିରେ ପତ୍ନୀଙ୍କୁ ଦେଖା କରିବାକୁ ଆସି ଶ୍ୱଶୂର ଘରେ ଗଣ୍ଡଗୋଳ କରୁଥିଲେ । ସବୁଦିନ ଭଳି ଗତ ମଙ୍ଗଳବାର ରାଜେଶ ତାଙ୍କ ଶ୍ୱଶୂର ଘରକୁ ଯାଇଥିଲେ ।
ଏହାପରେ ପତ୍ନୀ ଓ ପୁଅକୁ ଦେଖା କରିବାକୁ କହିଥିଲେ । ହେଲେ ପତ୍ନୀ ଦେଖାଦେଇନଥିଲେ । ଏହାକୁ ନେଇ ସେ ଘରେ ଗଣ୍ଡଗୋଳ କରିଥିଲେ । ଶ୍ୱଶୂର ପ୍ରତିବାଦ କରିବାରୁ ରାଜେଶ ତାଙ୍କୁ ଗାଳିଗୁଲଜ କରିଥିଲେ । ଏମିତିକି ଜୀବନରୁ ମାରିଦେବା ପାଇଁ ତାଙ୍କ ମୁଣ୍ଡକୁ ଧରି ଏକ ଦର୍ପଣରେ ବାରମ୍ବାର ଆଘାତ ଦେଇଥିଲେ । ରାଜେଶ ଏତିକିରେ ନ ଅଟକି ଜୟନାରାୟଣଙ୍କ ଗଳାକୁ ଚିପି ଦେଇଥିଲେ । ଏହାସହ ଏକ ଷ୍ଟିଲ୍ ବୋତଲକୁ ଜୟନାରାୟଣଙ୍କ ଆଡକୁ ମାଡ଼ କରିଥିଲେ । ଏଥିସହ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ରାଜେଶ ଯେତେବେଳେ ବି ଶ୍ୱଶୂରଘରକୁ ଆସୁଥିଲେ, ଗର୍ଜନ କରିବା ସହିତ ପାଟିତୁଣ୍ଡ ଏବଂ ଗାଳି ଗୁଲଜ କରୁଥିବାରୁ ଜୟନାରାୟଣଙ୍କ ପୁରା ପରିବାର ଭୟଭୀତ ହୋଇ ରହୁଥିଲେ । ତେଣୁ ବାଧ୍ୟହୋଇ ସେମାନେ ଜ୍ୱାଇଁ ରାଜେଶଙ୍କ ବିରୋଧରେ ମଙ୍ଗଳବାର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ ।