19.1 C
Bhubaneswar
Sunday, November 17, 2024
Homeଅପରାଧବିଷଦେଇ ମାରିବା ଉଦ୍ୟମ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ

ବିଷଦେଇ ମାରିବା ଉଦ୍ୟମ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ

ଡେଲାଙ୍ଗ: ପ୍ରେମିକାକୁ ଜୋରଜରଦସ୍ତୀ ବିଷ ପିଆଇଦେଲା ଧୋକାବାଜ ପ୍ରେମିକ । ଯନ୍ତ୍ରଣାରେ ଛଟପଟ ହୋଇ ଆଜି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଯୁବତୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଡେଲାଙ୍ଗ ଅଞ୍ଚଳରେ ଘଟିଯାଇଛି । ଘଟଣା ପରଠୁ ପ୍ରେମିକ ଫେରାର ଥିବା ବେଳେ ପୁଲିସ ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରି ତଦନ୍ତ କରୁଛି । ସୂଚନା ଅନୁଯାୟୀ ଡେଲାଙ୍ଗ ଥାନା ଅଞ୍ଚଳ ବଙ୍କିଲୋ ଗ୍ରାମର ଯୁବତୀ ସ୍ନେହଲତା ସ୍ୱାଇଁ (୨୨), ପୁରୁଣା ଡେଲାଙ୍ଗ ଗ୍ରାମର ବିଶ୍ୱମ୍ବର ମହାପାତ୍ର(୨୬)ଙ୍କୁ ଅନେକ ଦିନ ହେଲା ଭଲପାଉଥିଲେ । ବିବାହ କରିବା ପାଇଁ ପ୍ରଲୋଭନ ଦେଖାଇ ଯୁବକ ଜଣକ ତାଙ୍କ ସହିତ ଶାରିରୀକ ସମ୍ପର୍କ ମଧ୍ୟ ସ୍ଥାପନ କରିଥିଲେ । ଗତ ୧୨ ତାରିଖ ଦିନ ଯୁବତୀ ଜଣକ ଅଳଉତା ଗ୍ରାମରୁ ଠାକୁର ଦର୍ଶନକରି ପ୍ରେମିକ ସହ ଦେଖାହୋଇଥିଲେ । ପୂର୍ବ ଯୋଜନା ମୁତାବକ ପ୍ରେମିକ ଜଣକ ସେଠାରେ ତାଙ୍କୁ ଜୋର ଜବରଦସ୍ତି ବିଷ ( ଘାସମରା ଔଷଧ) ପିଆଇ ଦେଇଥିଲେ । ଗୁରୁତର ଅବସ୍ଥାରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୁବତୀଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ କଟକ ବଡ଼ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଆଜି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ପୂର୍ବରୁ ପୁଲିସ ଯୁବତୀଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦି ରେକର୍ଡ କରିଛି । ସେଥିରେ ବିଶ୍ୱମ୍ବର ତାଙ୍କୁ ଜୋରଜବରଦସ୍ତି ବିଷ ପିଆଇ ଦେଇଥିବା ଯୁବତୀ କହିଛନ୍ତି । ଅନ୍ୟପଟେ ଅମାନବୀୟ କାଣ୍ଡ ଘଟାଇ ଅଭିଯୁକ୍ତ ପ୍ରେମିକ ଫେରାର ଥିବା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking