ଅଗରତାଲା : ତ୍ରିପୁରାର ଧାମନଗର ଅଞ୍ଚଳରେ ବିେଜେପି କର୍ମୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି ବୋଲି ତ୍ରିପୁରା ମହିଳା କମିଶନ ଅଧ୍ୟକ୍ଷା ବର୍ଣ୍ଣାଳୀ ଗୋସ୍ୱାମୀ ଅଭିଯୋଗ କରିଛନ୍ତି । ବର୍ଣ୍ଣାଳୀ ଜଣେ ବିଜେପି ନେତ୍ରୀ । ଜଣେ ବନ୍ଧୁଙ୍କୁ ଭେଟିବାକୁ ଧାମନଗର ଯାଇଥିବାବେଳେ ୨୦୦ରୁ ଅଧିକ ପୁରୁଷ ଓ ମହିଳା ତାଙ୍କ ଉପରେ ଆକ୍ରମଣ କରିଥିବା ବର୍ଣ୍ଣାଳୀ କହିଛନ୍ତି । ଏଥିରେ ତାଙ୍କର ଶାଢି ଚିରିଯାଇଥିବାବେଳେ ଶରୀରରେ ଆଘାତ ମଧ୍ୟ ଲାଗିଛି । ବାରମ୍ବାର ଫୋନ କରିଥିଲେ ସୁଦ୍ଧା ପୁଲିସ ଘଟଣାସ୍ଥଳକୁ ଆସିନଥିବା ସେ କହିଛନ୍ତି । ତ୍ରିପୁରା ବିଧାନସଭା ପାଇଁ ଗୁରୁବାର ଭୋଟଗ୍ରହଣ କରାଯିବ । ତେବେ ଦଳୀୟ ଟିକଟ ନମିଳିବାରୁ ବର୍ଣ୍ଣାଳୀ କ୍ଷୁବ୍ଧ ହୋଇ ଧାମନଗର ବିଜେପି ବିଧାୟକଙ୍କ ବିରୋଧରେ ପ୍ରଚାର ଚଳାଇଥିବାରୁ ଏଭଳି ଆକ୍ରମଣ ହୋଇଥିବା ଶୁଣାଯାଉଛି ।