ଲକ୍ଷ୍ନୌ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ପୂର୍ବତନ ରାଜନେତା ଆତିକ୍ ଅହମ୍ମଦ ଓ ଭାଇ ଅସ୍ରଫ୍ ଅହମ୍ମଦ ହତ୍ୟା ମାମଲାରେ ଗିରଫ ହୋଇଥିବା ତିନିଜଣ ଅଭିଯୁକ୍ତଙ୍କୁ ସୋମବାର ନୈନି ଜେଲ୍ରୁ ପ୍ରତାପଗଡ ଜେଲକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା କାରଣରୁ ତିନି ଅଭିଯୁକ୍ତ ଅରୁଣ ମୌର୍ଯ୍ୟ, ସନ୍ନି ସିଂହ ଓ ଲଭଲେସ୍ ତିୱାରୀଙ୍କୁ ପ୍ରତାପଗଡ ଜେଲ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ନୈନି ଜେଲ୍ରେ ରଖାଗଲେ, ଆତିକ୍ ସମର୍ଥକମାନେ ଅଭିଯୁକ୍ତଙ୍କ ଉପରେ ଆକ୍ରମଣ କରିବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ରିପୋର୍ଟ ମିଳିବାପରେ ଏଭଳି ସ୍ଥାନାନ୍ତର ନିଷ୍ପତ୍ତି ନିଆଯାଇଛି । ଶନିବାର ରାତି ୧୦ଟାରେ ପ୍ରୟାଗରାଜର ଏକ ହସ୍ପିଟାଲ ସମ୍ମୁଖରେ ଆତିକ୍ ଓ ଅସ୍ରଫଙ୍କୁ ଏହି ଅଭିଯୁକ୍ତମାନେ ଅତି ନିକଟରୁ ଗୁଳି ଚଳାଇ ହତ୍ୟା କରିଥିଲେ ।
ପୁଲିସ ତତ୍କ୍ଷଣାତ ତିନିଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିଲା । ରବିବାର ପ୍ରୟାଗରାଜ କୋର୍ଟରେ ହାଜର କରାଯାଇଥିବାବେଳେ ବିଚାରପତି ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି । ଏହି ତିନି ଅଭିଯୁକ୍ତଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ରହିଛି । ତେବେ ଆତିକ୍ ଭଳି ଜଣେ ଡନ୍କୁ ମାରି ରାତାରାତି ଖ୍ୟାତିଲାଭ କରିବା ଆଶାରେ ସେମାନେ ହତ୍ୟା ଯୋଜନା କରିଥିବା ସ୍ୱୀକାର କରିଛନ୍ତି । ଶନିବାର ରାତିରେ ମେଡିକାଲ ଚେକ୍ଅପ୍ ପାଇଁ ପୁଲିସ ସୁରକ୍ଷା ମଧ୍ୟରେ ଆତିକ୍ ଓ ଅସ୍ରଫ୍ଙ୍କୁ ପ୍ରୟାଗରାଜର ମୋତିଲାଲ ନେହେରୁ ହସ୍ପିଟାଲକୁ ନିଆଯାଇଥିଲା । ହସ୍ପିଟାଲ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ ଜମିଥିଲା । ତିନି ଅଭିଯୁକ୍ତ ମଧ୍ୟ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇ ସେଠାରେ ଉପସ୍ଥିତ ଥିଲେ । ତେବେ ଆତିକ୍ ଓ ଅସ୍ରଫ ଡାକ୍ତରଖାନାକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କ ଉପରେ ଗୁଳିବର୍ଷା କରାଯାଇଥିଲା । ଆତିକ୍ ଦେହରେ ୮ଟି ଓ ଅସ୍ରଫ ଦେହରେ ୬ଟି ଗୁଳି ବାଜିଛି ।
ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ବିଦେଶୀ ପିସ୍ତଲ, ନକଲି ସାମ୍ବାଦିକ ପରିଚୟ ପତ୍ର, ଭିଡିଓ କ୍ୟାମେରା ଇତ୍ୟାଦି ଜବତ କରିଛି । ସୂଚନାଯୋଗ୍ୟ ରାଜ୍ୟ ସରକାର ଏହି ଘଟଣ।।ର ବିଚାର ବିଭାଗୀୟ ତଦନ୍ତ ନିମନ୍ତେ ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସୁବେଶ କୁମାର ସିଂହ ଓ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ବିଜେଶ କୁମାର ସୋନିଙ୍କୁ ସଦସ୍ୟଭାବେ ସାମିଲ କରାଯାଇଛି । ପୂର୍ବତନ ୂବିଏସ୍ପି ବିଧାୟକ ରାଜୁ ପାଲ ହତ୍ୟା ମାମଲ।।ର ମୁଖ୍ୟ ସାକ୍ଷୀ କୁହାଯାଉଥିବା ଉମେଶ ପାଲଙ୍କୁ ଚଳିତବର୍ଷ ଫେବୃଆରୀ ୨୪ରେ ହତ୍ୟା କରାଯାଇଥିଲା । ଏହାପଛରେ ଆତିକ୍ ଓ ପୁଅ ଆସାଦର ମୁଖ୍ୟ ଭୂମିକା ରହିଥିଲା । ଉମେଶ ପାଲ ହତ୍ୟା ପରଠାରୁ ଆସାଦ ଫେରାର ଥିଲା । ତେବେ ଗତ ଗୁରୁବାର ଉତ୍ତର ପ୍ରଦେଶ ପୁଲିସ ସହ ଏନ୍କାଉଣ୍ଟରରରେ ଆସାଦ ଓ ତା’ ସହଯୋଗୀ ଗୁଲାମ ପ୍ରାଣ ହରାଇଛନ୍ତି ।