ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ
୨୭୦ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗତବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ ଯାଏଁ ଏମାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋମବାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୩୧ଜଣ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି। ଭିଜିଲାନ୍ସ କୋର୍ଟରେ ୧୮୭ ସରକାରୀ କର୍ମଚାରୀ ଦଣ୍ଡିତ ହୋଇଛନ୍ତି। ୩୪ଜଣ ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ୬୫ ସରକାରୀ କର୍ମଚାରୀଙ୍କ ପେନସନ ବନ୍ଦ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।
୯ ଜେଲ୍ରୁ ୧୩ କଏଦୀ ଫେରାର
ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ରୁ ୧୩ କଏଦୀ ଫେରାର ହୋଇଛନ୍ତିି। ସୋମବାର ଜେଲରୁ କଏଦ ଫେରାର୍ ନେଇ ସୋମବାର ଲିଖିତ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ତେବେ ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍ ଧରିପାରିଛି। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି। ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୁଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି।
ବିଏମ୍ସି ଅଞ୍ଚଳରେ ୫୦୦ ଏକର ସରକାରୀ ଜମି ଜବରଦଖଲ
ବିଏମ୍ସି ଅଞ୍ଚଳରେ ଜବରଦଖଲ ହୋଇଛି ୫୦୦ ଏକର ସରକାରୀ ଜମି। ବିଧାନସଭାରେ ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ବାପୁଜିନଗର, ଅଶୋକ ନଗର, ଗଙ୍ଗନଗର, ସହିଦ ନଗର, ସୂର୍ଯ୍ୟ ନଗର, ବମିଖାଲ, ଝାରପଡ଼ା, ପଟିଆ ଅଞ୍ଚଳରେ ଅଧିକାଂଶ ଜବରଦଖଲ ହୋଇଛି। ପ୍ରଭାବଶାଳୀ ବ୍ୟକ୍ତି ସରକାରୀ ଜମି ହାତେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ସରକାର ଏକ କମିଟି ଗଠନ କରି ଖୁବ୍ଶୀଘ୍ର ଜବରଦଖଲ ଉଚ୍ଛେଦ କରିବେ। ଚଳିତ ବର୍ଷ ୭୦ ଏକର ସରକାରୀ ଜମିରୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗକୁ ଏହି ପ୍ରକ୍ରିୟା ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି।
୧୬ ମାସରେ ରାଜ୍ୟରେ ଖୋଲିଛି ୩୩ ଆଇଟି କମ୍ପାନୀ
ଓଡ଼ିଶା ହେବ ଆଇଟି ହବ୍। ୧୬ ମାସରେ ଖୋଲିଛି ୩୩ଟି ନୂଆ ଆଇଟି କମ୍ପାନୀ। ୨୫୨୮ ଜଣଙ୍କୁ ମିଳିଛି ନିଯୁକ୍ତି। ବର୍ତ୍ତମାନ ସୁଦ୍ଧା ୩୫୦ ଆଇଟି କମ୍ପାନୀ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ୩୫ ହଜାରରୁ ଊର୍ଦ୍ଧ୍ୱ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି। ସୋମବାର ବିଧାନସଭାରେ ଲିଖିତ ଉତ୍ତର ରଖି ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହାଛଡ଼ା ସେ କହିଛନ୍ତି ଯେ ବିଶ୍ୱରେ ଓଡ଼ିଶା ସଫ୍ଟୱେୟାରର ଚାହିଦା ଅଧିକ ରହିଛି। ଦେଶର ପ୍ରଥମ ୧୦ ରାଜ୍ୟରେ ଓଡ଼ିଶା ରହିଛି। ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସଫ୍ଟୱେୟାର ରପ୍ତାନୀ କରାଯାଇଛି ବୋଲି ଶ୍ରୀ ମହାଲିଙ୍ଗ ଲିଖିତ ଉତ୍ତର ରଖିଛନ୍ତି।










