ନୂଆଦିଲ୍ଲୀ : କଜାଖ୍ସ୍ତାନର ଆଲମାଟିଠାରେ ଅନୁଷ୍ଠିତ ଏସିଆନ୍ ଜୁନିୟର୍ ହ୍ୟାଣ୍ଡବଲ୍ ଚାମ୍ପିଅନ୍ଶିପ୍ରେ ଭାରତୀୟ ମହିଳା ଦଳ ଐତିହାସିକ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛି । ସୋମବାର ଦଳ ତା\’ର ଚତୁର୍ଥ ତଥା ଅନ୍ତିମ ମୁକାବିଲାରେ ଥାଇଲାଣ୍ଡ୍କୁ ୪୧-୧୮ରେ ପରାସ୍ତ କରି ୫ଟି ଦଳକୁ ନେଇ ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ର ଶୀର୍ଷ ସ୍ଥାନରେ ରହି ଏହି ପଦକଟି ଲାଭ କରିଛି । ଦଳ ପ୍ରତିଯୋଗିତାର ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ସର୍ବମୋଟ ୬ ପଏଣ୍ଟ୍ ପାଇଛି । ଦଳ ଥାଇଲାଣ୍ଡ୍ ପୂର୍ବରୁ ଉଜ୍ବେକିସ୍ତାନ ଓ କଜାଖ୍ସ୍ତାନକୁ ହରାଇଥିବା ବେଳେ ଏକମାତ୍ର ପରାଜୟ ଇରାନ୍ ବିପକ୍ଷରେ ବରଣ କରିଛି । ଶୀର୍ଷ ସ୍ଥାନରେ ରହି ଭାରତ ଆସନ୍ତା ଜୁନ୍ ୨୨ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ସ୍ଲୋଭେନିଆରେ ହେବାକୁ ଥିବା ଆଇଏଚ୍ଏଫ୍ ମହିଳା ଜୁନିୟର୍ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଭାଗ ନେବା ସକାଶେ ମଧ୍ୟ ଯୋଗ୍ୟତା ହାସଲ କରିଛି । ଭାରତୀୟ ଦଳକୁ ଏହି ଐତିହାସିକ ବିଜୟ ପରିପ୍ରେକ୍ଷୀରେ ହ୍ୟାଣ୍ଡବଲ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଚ୍ଏଫ୍ଆଇ)ର ସଭାପତି ଏ. ଜଗନ୍ ମୋହନ ରାଓ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦେଶ୍ୱର ପାଣ୍ଡେ ଶୁଭେଚ୍ଛା ଜଣାଇଛନ୍ତି । ଦଳର ଖେଳାଳିମାନେ ଯଥେଷ୍ଟ କଷ୍ଟ ସ୍ୱୀକାର କରି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶେଷରେ ସଫଳତା ପାଇବା ତାଙ୍କୁ ଗୌରବାନ୍ୱିତ କରିଛି ବୋଲି ପାଣ୍ଡେ କହିଛନ୍ତି ।