ଢାକା: ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ୍ ପଦକ ବିଜେତା ଭାରତୀୟ ହକି ଦଳର ଏଠାରେ ଚାଲିଥିବା ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ବିଜାୟ ଧାରା ମଙ୍ଗଳବାର ବ୍ରେକ୍ ଲାଗିଛି । ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲ୍ରେ ଜାପାନ ୫-୩ରେ ଭାରତକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି । ଭାରତ ବିପକ୍ଷରେ ଜାପାନର ରେକର୍ଡ ଖରାପ ରହିଥିବା ବେଳେ ଭାରତ ରାଉଣ୍ଡ୍ ରବିନ୍ ମ୍ୟାଚ୍ରେ ଜାପାନକୁ ୬-୦ ଗୋଲ୍ରେ ହରାଇ ଦେଇଥିଲା । ତେଣୁ ଏହି ମ୍ୟାଚ୍ ପୂର୍ବରୁ ଭାରତ ବିଜୟର ପ୍ରବଳ ଦାବିଦାର ଥିଲା ।
ମାତ୍ର ସମସ୍ତ ରେକର୍ଡକୁ ବଦଳାଇ ଜାପାନ ଏହି ମ୍ୟାଚ୍ ଜିତି ଫାଇନାଲ୍ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ସେମିଫାଇନାଲ୍ରେ ହାରିବା ପରେ ଭାରତ ଏବେ ବ୍ରୋଞ୍ଜ୍ ପଦକ ପାଇଁ ବୁଧବାର ପାକିସ୍ତାନକୁ ଭେଟିବ । ଜାପାନ ଓ କୋରିଆ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ । ମଙ୍ଗଳବାର ଜାପାନ ମ୍ୟାଚ୍ ପ୍ରାରମ୍ଭରୁ ଆକ୍ରମଣାତ୍ମକ ପ୍ରଦର୍ଶନ କରି ମନ୍ପ୍ରୀତ୍ଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ଡିଫେନ୍ସକୁ ଭେଦିବାକୁ ଉଦ୍ୟମ କରିଥିଲା । ଫଳରେ ଦଳକୁ ପ୍ରଥମ ମିନିଟ୍ରେ ହିଁ ସଫଳତା ମିଳିଥିଲା । ଶୋତା ୟମାଦା ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ କରି ଦଳକୁ ଅଗ୍ରଣୀ କରିଥିଲେ । ଦ୍ୱିତୀୟ ମିନିଟ୍ରେ ରାଇକି ଫୁଜିଶିମା ଦଳକୁ ମିଳିଥିôବା ପେନାଲ୍ଟି କର୍ଣ୍ଣର୍ରୁ ଗୋଲ୍ କରିଥିଲେ ।
ପ୍ରଥମ କ୍ୱାର୍ଟର୍ରେ ଜାପାନ ୨-୦ରେ ଆଗୁଆ ରହିଥିଲା । ତେବେ ଦ୍ୱିତୀୟ ମିନିଟ୍ରେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା ଏବଂ ହାର୍ଦ୍ଦିକ ସିଂହ ଏକ ଆକର୍ଷଣୀୟ ଫିଲ୍ଡ ଗୋଲ୍ ମାଧ୍ୟମରେ ସ୍ଥିତି ୧-୨ କରିଥିଲା । ଏହି ଗୋଲ୍ରେ ଅଧିନାୟକ ମନ୍ପ୍ରୀତ୍ ଓ ଦିଲ୍ପ୍ରୀତ୍ ସିଂହ ସାୟତା କରିଥିଲେ । ଏହାପରେ ୨୯ତମ ମିନିଟ୍ରେ ଭାରତ ସ୍ଥିତି ସମାନ କରିବା ସୁଯୋଗ ହାତଛଡ଼ା କରି ଦେଇଥିଲା । ୨୪ତମ ମିନିଟ୍ରେ ଗୋଲ୍କିପର୍ କୃଷ୍ଣ ବାହାଦୁର ପାଠକ ଏକ ଆକର୍ଷଣୀୟ ସେଭ୍ ମାଧ୍ୟମରେ ଜାପାନର ତୃତୀୟ ଗୋଲ୍ ଉଦ୍ୟମକୁ ପଣ୍ଡ କରିଦେଇଥିଲେ । ଏହି ସମୟରେ ଭିଡିଓ ଅମ୍ପାୟାର୍ ଜାପାନର ପେନାଲ୍ଟି କର୍ଣ୍ଣର୍କୁ ଅସ୍ୱୀକାର କରିଥିଲେ ।
ତଥାପି ଜାପାନ ତା’ ଆକ୍ରମଣ ଜାରି ରଖିଥିଲା ଏବଂ ୨୯ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର୍ରୁ ଆଉ ଏକ ଗୋଲ୍ କରି ହାଫ୍ଟାଇମ୍ ସୁଦ୍ଧା ଅଗ୍ରଣୀକୁ ୩-୧ରେ ପହଞ୍ଚାଇ ଦେଇଥିଲା । ଜାପାନ ପକ୍ଷରୁ ତୃତୀୟ ଗୋଲ୍ଟି ୟୋଶିକୀ କିରିଶିତା କରିଥିଲେ । ପ୍ରଥମ ହାଫ୍ରେ ଜାପାନ ଚାରିଟି ପେନାଲ୍ଟି କର୍ଣ୍ଣର୍ ହାସଲ କରିଥିବା ବେଳେ ଭାରତକୁ କେବଳ ଗୋଟିଏ ମିଳିଥିଲା । ଦ୍ୱିତୀୟ ହାଫ୍ରେ ସ୍ଥିତି ସମାନ କରିବାକୁ ଭାରତକୁ ବହୁ ପରିଶ୍ରମ କରିବାର ଥିଲା । ମାତ୍ର ଜାପାନ ଦ୍ୱିତୀୟ ହାଫ୍ରେ ମଧ୍ୟ ନିଜ ପ୍ରଭାବ ଜାରି ରଖିଥିଲା । ୩୫ତମ ମିନିଟ୍ରେ ଜାପାନ ଆଉ ଏକ ଆକର୍ଷଣୀୟ ଗୋଲ୍ କରି ସ୍କୋର୍ ଲାଇନ୍ ୪-୧ କରିଥିଲା । ଏହି ଗୋଲ୍ କୋସେଇ କୱାବେ କରିଥିଲେ ।
ଏହାପରେ ୪୧ତମ ମିନିଟ୍ରେ ଟନାକାଙ୍କ ଉନ୍ନତ ଗୋଲ୍ ମାଧ୍ୟମରେ ଜାପାନ ୫-୧ର ବିଶାଳ ଅଗ୍ରଣୀ ଲାଭ କରିଥିଲା । ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟର୍ରେ ମଧ୍ୟ ଜାପାନ ଉନ୍ନତ ପ୍ରଦର୍ଶନ କରିଥିଲା । ୪୩ତମ ମିନିଟ୍ରେ ଉପଅଧିନାୟକ ହରମନ୍ପ୍ରୀତ୍ ସିଂ ଗୋଲ୍ ବଳରେ ବ୍ୟବଧାନ ୨-୫ କରିଥିଲା । ଏହାପରେ ୬୦ତମ ମିନିଟ୍ରେ ହାର୍ଦ୍ଦିକ ସିଂହ ଗୋଲ୍ କରି ଏହାକୁ ୩-୫ କରିଥିଲେ । ମାତ୍ର ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ଏବଂ ଏହାପରେ ଭାରତୀୟ ଦଳ କୌଣସି ଚମତ୍କାର କରିପାରି ନଥିଲା ।
ଫଳରେ ଦଳକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ଏହି ବିଜୟ ସହ ଜାପାନ ରାଉଣ୍ଡ ରବିନ୍ ମ୍ୟାଚ୍ରେ ଭାରତଠାରୁ ୬-୦ ପରାଜୟର ପ୍ରତିଶୋଧ ନେଇଥିଲା । ମଙ୍ଗଳବାର ଖେଳାଯାଇଥିବା ଅନ୍ୟ ଏକ ସଂଘର୍ଷପୂର୍ଣ୍ଣ ସେମିଫାଇନାଲ୍ରେ ସାଉଥ୍ କୋରିଆ ୬-୫ ଗୋଲ୍ରେ ପାକିସ୍ତାନକୁ ହରାଇ ଦେଇଥିଲା ।