17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଏସିଆନ୍ସ ଚାମ୍ପିଅନ୍ସ ଟ୍ରଫି; କୋରିଆକୁ ହରାଇ ତୃତୀୟ ସ୍ଥାନରେ ଜାପାନ

ଏସିଆନ୍ସ ଚାମ୍ପିଅନ୍ସ ଟ୍ରଫି; କୋରିଆକୁ ହରାଇ ତୃତୀୟ ସ୍ଥାନରେ ଜାପାନ

ଚେନ୍ନାଇ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ଜାପାନ ହକି ଟିମ୍ ଚମତ୍କାର ପ୍ରଦର୍ଶନ କରି ୩ୟ ସ୍ଥାନରେ ରହି ବ୍ରୋଞ୍ଜ୍ ପଦକ ଜିତିଛି । ଶନିବାର ସ୍ଥାନୀୟ ମେୟର୍ ରାଧାକ୍ରିଷ୍ଣନ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୩ୟ ସ୍ଥାନ ପ୍ଲେଅଫ୍ ମ୍ୟାଚ୍‌ରେ ଜାପାନ ଗତଥରର ବିଜୋ ଦକ୍ଷିଣ କୋରିଆକୁ ୫-୩ ଗୋଲ୍‌ରେ ହରାଇ ଦେଇଛି । ଜାପାନ ପକ୍ଷରୁ ରୋମା ଓକା (୩ୟ), ର‌୍ୟୋସେଇ କାଟୋ (୯ମ), କେଣ୍ଟାରୋ ଫୁକୁଡ଼ା (୨୮ତମ), ଶୋଟା ୟାମାଦା (୫୩ତମ) ଏବଂ କେନ୍ ନାଗାୟୋଶୀ (୫୮ତମ) ଗୋଲ୍‌ଗୁଡ଼ିକ ସ୍କୋର୍ କରିଥିଲେ ।

ସେହିପରି ଦକ୍ଷିଣ କୋରିଆ ପକ୍ଷରୁ ଜୋଙ୍ଗୟ୍ୟୁନ୍ ଜାଙ୍ଗ୍ ୧୫ତମ ଓ ୩୩ତମ ମିନିଟ୍‌ରେ ଦୁଇଟି ଏବଂ ଚେଓଲିଅନ୍ ପାର୍କ ୨୬ତମ ମିନିଟ୍‌ରେ ଗୋଟିଏ ଗୋଲ୍ କରିଥିଲେ । ମ୍ୟାଚ୍‌ର ପ୍ରଥମ କ୍ୱାର୍ଟର୍‌ରେ ଜାପାନ ଖେଳାଳି ଜୋର୍‌ଦାର ଆରମ୍ଭ କରିଥିଲେ । ୩ୟ ମିନିଟ୍‌ରେ ରୋମା ଓକା ଫିଲ୍ଡ ଗୋଲ୍ କରି ଜାପାନକୁ ଅଗ୍ରଣୀ କରାଇଥିଲେ । ଏହାର ୬ ମିନିଟ୍ ପରେ ର‌୍ୟୋସେି କାଟୋ କୋରିଆ ଡିଫେନ୍ସକୁ ପ୍ରତିହତ କରି ଅତି ନିକଟରୁ ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ଦେଇଥିଲେ । ତେବେ ୧୫ତମ ମିନିଟ୍‌ରେ କୋରିଆକୁ ମିଳିଥିବା ପେନାଲ୍ଟି କର୍ଣ୍ଣର୍‌କୁ କ୍ୟାପ୍‌ଟେନ୍ ଜୋଙ୍ଗହ୍ୟୁନ୍ ଜାଙ୍ଗ୍ ସଫଳତା ସହିତ ପରିବର୍ତ୍ତିତ କରିଥିଲେ ।

ପ୍ରଥମ କ୍ୱାର୍ଟର୍ ୨-୧ରେ ଶେଷ ହେବାପରେ ୨୬ତମ ମିନିଟ୍‌ରେ ଉ ଚେଅନ୍‌ଙ୍କ ଷ୍ଟିକ୍‌ରୁ ଡିଫ୍ଲେକ୍ଟ ହୋଇଥିବା ବଲ୍‌କୁ ଚେଓଲିଅନ୍ ପାର୍କ ଜାପାନ ଗୋଲ୍‌ପୋଷ୍ଟ ମଧ୍ୟକୁ ପଠାଇ ସ୍କୋର୍ ଲାଇନ୍ ୨-୨ କରିଥିଲେ । ତେବେ ଏହାର ଦୁଇ ମିନିଟ୍ ପରେ କୋସେଇ କାୱେବେଙ୍କ ଠାରୁ ପାଇଥିବା ପାସ୍‌ରେ ଗୋଲ୍ କରି ଫୁକୁଡ଼ା ଜାପାନକୁ ୩-୨ରେ ଅଗ୍ରଣୀ କରିଥିଲେ । ଏହାର କିଛି ସମୟ ପରେ ଜାଙ୍ଗ୍ ପେନାଲ୍ଟି କର୍ଣ୍ଣର୍ ଗୋଲ୍ ଜରିଆରେ ସ୍ଥିତି ୩-୩ କରିଥିଲେ । ୫୩ତମ ମିନିଟ୍‌ରେ ୟାମାଦାଙ୍କ ଗୋଲ୍ ବଳରେ ଜାପାନ ପୁଣିଥରେ ଆଗ୍ରଣୀ ଲାଭ କରିଥିଲା । ଏହାର ୫ ମିନିଟ୍ ପରେ ନାଗାୟୋଶୀ ପେନାଲ୍ଟି ଷ୍ଟ୍ରୋକ୍ ମାଧ୍ୟମରେ ମ୍ୟାଚ୍‌ର ଅନ୍ତିମ ଗୋଲ୍ କରି ଜାପାନକୁ ୫-୩ରେ ବିଜୟୀ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking