ଦୁବାଇ: ଚଳିତ ଏସିଆ କପ୍ରେ ସୁପର୍-୪’ ପର୍ଯ୍ୟାୟରେ ଟିମ୍ ଇଣ୍ଡିଆ ମଙ୍ଗଳବାର ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ । ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ରେ ୫ ୱିକେଟ୍ରେ ପରାସ୍ତ ହେବା ଫଳରେ ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚ୍ଟି ଦଳ ପାଇଁ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଫାଇନାଲ୍ ଦୌଡ଼ରେ ରହିବା ସକାଶେ ଦଳକୁ ଏହି ମ୍ୟାଚ୍ରେ ନିଶ୍ଚିତ ବିଜୟ ହାସଲ କରିବାକୁ ପଡ଼ିବ । ଦଳ ପାଖରେ ଏହି ‘କର ବା ମର’ ମ୍ୟାଚ୍ରେ କୌଣସି ଗବେଷଣା କରିବାର ସୁଯୋଗ ମିଳିବ ନାହିଁ । ଅଭିଜ୍ଞ ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା, ଯୁବ ପେସର୍ ହର୍ଷଲ୍ ପଟେଲ୍ ଓ ଜସପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ଦଳ ପାଖରେ ବୋଲିଂ ବିଭାଗରେ ବିଶେଷ ବିକଳ୍ପ ଉପଲବ୍ଧ ନାହିଁ । ଦଳ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ୫ ଜଣ ସ୍ପେଶାଲିଷ୍ଟ୍ ବୋଲରଙ୍କୁ ନେଇ ଖେଳିଥିଲେ ମଧ୍ୟ ଏହା କାମ ଦେଇନାହିଁ । ଏପରିକି ଇନ୍ଫର୍ମ ବୋଲର୍ ଭୁବନେଶ୍ୱର କୁମାର ଓ ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ଫେଲ୍ ମାରିଛନ୍ତି ।
ତେଣୁ ଦଳରେ ବ୍ୟାଟିଂ ଓ ବୋଲିଂରେ ସନ୍ତୁଳନ ରକ୍ଷା କରିବା ସକାଶେ ଅଲ୍ରାଉଣ୍ଡର୍ ଅକ୍ଷର ପଟେଲଙ୍କୁ ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ବୋଲରମାନେ ଫେଲ୍ ମାରିବା ପୂର୍ବରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ନିରାଶ କରିଥିଲେ । ଦୀପକ ହୁଡ୍ଡାଙ୍କୁ ଟୁର୍ଣ୍ଣାମେଣ୍ଟ୍ରେ ପ୍ରଥମ ସୁଯୋଗ ମିଳିଥିଲେ ମଧ୍ୟ ସେ ଏହାର ଫାଇଦା ନେବାରେ ବିଫଳ ରହିଛନ୍ତି । ସେହିପରି ପ୍ରଥମ ଦୁଇଟି ମ୍ୟାଚ୍ରେ ବ୍ୟାଟିଂ ସୁଯୋଗ ପାଇ ନଥିବା ୱିକେଟ୍କିପର୍-ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ରିଜର୍ଭ ବେଞ୍ଚ୍ରେ ବସିବାକୁ ପଡ଼ିଥିଲା ।
ତେଣୁ ଋଷଭ ପନ୍ତ୍ଙ୍କ ସ୍ଥାନରେ ତାଙ୍କୁ ଚୂଡ଼ାନ୍ତ ଏକାଦଶକୁ ଫେରାଇ ଅଣାଯାଇପାରେ । ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଓପନର ରୋହିତ ଓ ଲୋକେଶ ରାହୁଲଙ୍କ ସହ ବିରାଟ କୋହଲିଙ୍କ ନିର୍ଭୟ ବ୍ୟାଟିଂ ଏକମାତ୍ର ସକାରାତ୍ମକ ଦିଗ ରହିଥିଲା । କ୍ରମାଗତ ଅର୍ଦ୍ଧଶତକ ମାଧ୍ୟମରେ କୋହଲି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ତେଣୁ ଶୀର୍ଷ ୩ ବ୍ୟାଟ୍ସମ୍ୟାନ୍ ଶ୍ରୀଲଙ୍କା ବିପକ୍ଷରେ ସେମାନଙ୍କ ଆକ୍ରମଣାତ୍ମକ ବ୍ୟାଟିଂରେ ସଫଳ ହେବେ ବୋଲି ଆଶା କରାଯାଉଛି ।
ଅନ୍ୟପକ୍ଷରେ ପ୍ରତିଯୋଗିତାଟି ପରାଜୟ ସହ ଆରମ୍ଭ କରିଥିଲେ ମଧ୍ୟ ବାଂଲାଦେଶ ଓ ଆଫଗାନିସ୍ତାନ ବିପକ୍ଷରେ କ୍ରମାଗତ ବିଜୟ ହାସଲ କରିଥିବା ଶ୍ରୀଲଙ୍କା କ୍ୟାମ୍ପ୍ରେ ପରିବେଶ ସକାରାତ୍ମକ ରହିଛି । ୩ ନମ୍ବର ବ୍ୟାଟ୍ସମ୍ୟାନ୍ ଚରିତ ଅସଲଙ୍କାଙ୍କୁ ବାଦ୍ ଦେଲେ ଅଧିନାୟକ ଦାସୁନ୍ ଶନାକା ଓ କୁସାଲ୍ ମେଣ୍ଡିସ୍ ବାଂଲାଦେଶ ଏବଂ ଦାନୁଷ୍କା ଗୁଣତିଲକା ଓ ଭାନୁକା ରାଜପକ୍ଷ ଆଫଗାନିସ୍ତାନ ବିପକ୍ଷରେ ଚମତ୍କାର ବ୍ୟାଟିଂ କରିଛନ୍ତି । ତେଣୁ କ୍ରମାଗତ ତୃତୀୟ ବିଜୟ ସହ ଶ୍ରୀଲଙ୍କା ଫାଇନାଲ୍ ଦୌଡ଼ରୁ ଟିମ୍ ଇଣ୍ଡିଆକୁ ବିଦା କରି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିବ, ଏପରି ଏକ ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
ସମ୍ଭାବ୍ୟ ଟିମ୍ ଇଣ୍ଡିଆ: ଲୋକେଶ ରାହୁଲ୍, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ୍/ଦୀନେଶ କାର୍ତ୍ତିକ (ୱିକେଟ୍କିପର୍), ଦୀପକ ହୁଡ୍ଡା, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ୍/ଅକ୍ଷର ପଟେଲ୍ ଓ ଅର୍ଶଦୀପ ସିଂହ ।
ସମ୍ଭାବ୍ୟ ଶ୍ରୀଲଙ୍କା ଏକାଦଶ: ପାଥୁମ୍ ନିଶଙ୍କା, କୁସାଲ୍ ମେଣ୍ଡିସ୍ (ୱିକେଟ୍କିପର୍), ଚରିତ ଅସଲଙ୍କା, ଦାନୁଷ୍କା ଗୁଣତିଲକା, ଭାନୁକା ରାଜପକ୍ଷ, ଦାସୁନ୍ ଶନାକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହୀଶ ତିକ୍ଶାନା, ଅସିତା ଫର୍ଣ୍ଣାଣ୍ଡୋ ଓ ଦିଲ୍ସାନ୍ ମଦୁଶଙ୍କା ।